
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ରୋଡସ୍ ଆଇଲ୍ୟାଣ୍ଡ :- ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳେ ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରଠାରେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ଚାରିଦିଅଁଙ୍କ ସମ୍ମୁଖରେ ପୂଜାର୍ଚ୍ଚନା ଓ ନିତିକାନ୍ତି ସମ୍ପନ୍ନ କରାଯାଇଥିଲା। ରଥଯାତ୍ରା ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ ଭକ୍ତଗଣଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ ଓ ଅନନ୍ୟ ଉଦ୍ଦୀପନା ପରିଲିକ୍ଷିତ କରାଯାଇଥିଲା। ଏହି ଦ୍ଵୀପାଞ୍ଚଳରେ ଘୋଷଯାତ୍ରା ଦିନ ବର୍ଷା ଓ ଘଡଘଡି ହେବାର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ବିଶ୍ଵବ୍ରହ୍ମାଣ୍ଡର ନିଅନ୍ତା ବଡ଼ ଠାକୁରଙ୍କ ଆଶୀର୍ବାଦ ଫଳରେ ଆଶ୍ଚର୍ଯ୍ୟଜନକ ଭାବେ ପାଗ ଖୁବ୍ ଭଲ ଥିବା ଦେଖାଯାଇଥିଲା।

