ପୁଲିସ ୪ଜଣଙ୍କୁ କାବୁ କରିବା ସହ ବ୍ରାଉନ୍‌ସୁଗାର ଜବତ : ମୁଖ୍ୟ ଅଭିଯୁକ୍ତ ଖସି ଚମ୍ପଟ 

ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ଭୁବନେଶ୍ବର :- ପୁଲିସ୍‌, ଅବକାରୀ ବିଭାଗ ଓ ଏସ୍‌ଟିଏଫ୍ ନିୟମିତ ଅନ୍ତରାଳରେ ରାଜଧାନୀରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍‌, ଚୋରା ମଦ ଜବତ କରୁଛି । ମାଫିଆ, ଖୁଚୁରା ବେପାରୀଙ୍କୁ ବି ଗିରଫ କରୁଛି। କିନ୍ତୁ ନିଶା କାରବାର ଉପରେ ରୋକ୍ ଲାଗି ପାରୁନାହିଁ। ନା ବେପାର କମୁଛି ନା ବେପାରୀଙ୍କ ମନୋବଳ ଭାଙ୍ଗୁଛି। ଆଜି କେବଳ ଗୋଟିଏ ଦିନରେ ରାଜଧାନୀ ଓ ଉପକଣ୍ଠରୁ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ବ ନିଶା ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ହାତରେ ପୁଣି ଏକ ବଡ଼ ସଫଳତା ଲାଗିଛି । ଖୋର୍ଦ୍ଧା ରୋଡ୍‌ରେ ବ୍ରାଉନ୍‌ସୁାଗର ନେଇ ବଡ଼ ଡିଲ୍ ବେଳେ ଏସ୍‌ଟିଏଫ୍ ଟିମ୍ ଏହାକୁ ପଣ୍ଡ କରିଛି।

ଏଥିରେ ସମ୍ପୃକ୍ତ ୪ଜଣ ମାଫିଆଙ୍କୁ ଗିରଫ କରିବା ସହ କେଜିଏରୁ ଉର୍ଦ୍ଧ୍ବ ବ୍ରାଉନ୍‌ସୁଗାର ଜବତ କରିଛି। ସେମାନେ ହେଲେ ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳର ରାକେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ବାଳ ଏବଂ ସନ୍ତୋଷ ରାଉତରାୟ। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ସୂଚନା ମୁତାବକ, ଶନିବାର ରାତିରେ ବାଲେଶ୍ବର ଜଳେଶ୍ବର ଅଞ୍ଚଳର ଜଣେ ମାଫିଆ ବ୍ରାଉନ୍‌ସୁଗାର ଧରି ରାଜଧାନୀ ଆସୁଥିବା ଏସ୍‌ଟିଏଫ୍ ହାତରେ ଖବର ଲାଗିଥିଲା। ସେ ରାଜଧାନୀର କେତେକ ବ୍ୟବସାୟୀଙ୍କୁ ବ୍ରଉନ୍‌ସୁଗାର ଦେବାକୁ ଡିଲ୍ କରିଥିଲା। ସୂଚନା ପାଇବା ପରେ ଏସ୍‌ଟିଏଫ୍ ଗ୍ୟାଙ୍ଗକୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ସନ୍ଧ୍ୟା ସମୟରୁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚକ୍କର କାଟିଥିଲେ। ବିଳମ୍ବିତ ରାତିରେ ନିଶା ମାଫିଆମାନେ ଖୋର୍ଦ୍ଧା ରୋଡ୍ ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ ବ୍ରାଉନ୍‌ସୁଗାର ଧରି ବିଭିନ୍ନ ସ୍ଥାନକୁ ପଠାଇବା ପାଇଁ ଯୋଜନା କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଏସ୍‌ଟିଏଫ୍ ଟିମ୍ ସେଠାରେ ଚଢ଼ଉ କରି ମାଫିଆଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। କିଛି ସମୟ ଗୋଡ଼ାଗୋଡ଼ି ପରେ ପୁଲିସ ୪ଜଣଙ୍କୁ କାବୁ କରିବା ସହ ବ୍ରାଉନ୍‌ସୁଗାର ଜବତ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ଏସ୍‌ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପଟେ ୨୦୨୦ରୁ ଏପର‌୍ୟ୍ୟନ୍ତ ଏସ୍‌ଟିଏଫ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫୫ କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର, ୨୦୨ଗ୍ରାମର‌ କୋକେନ, ୧୧୧କ୍ବିଣ୍ଟାଲ ଗଞ୍ଜେଇ, ୭୫୦ଗ୍ରାମ ଅଫିମ ଜବତ କରିବା ସହ ୧୫୬ଜଣ ନିଶା ମାଫିଆଙ୍କୁ ଗିରଫ କରିଛି।

Exit mobile version