ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ବାଲିଗୁଡା :- ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜି ପାଣି ଟୋପାଏ ଆଣି ପାରିଛନ୍ତି l ବର୍ଷ ବର୍ଷ ବିତିଗଲା । ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି । ଗୁହାରି କରିବା ବହୁତ ହୋଇଗଲା, ଆଉ ନୁହେଁ। ’ ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଲେ ୪ ଆଦିବାସୀ ପଡ଼ାର ୮୦ ପରିବାରର ଲୋକେ । କାହା ଉପରେ ନିର୍ଭର ନକରି ମୁଣ୍ଡ ଖଟାଇ ନିଜେ କୌଶଳ ବାହାର କଲେ, ଆଉ ତାକୁ କାର୍ଯ୍ୟରେ ବି କରି ଦେଖାଇଲେ । ଶେଷରେ, ଦୁଇ କିଲୋମିଟର ପାହାଡ଼ ଉପରୁ ଗାଁକୁ ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଛନ୍ତି ।

ପାନୀୟଜଳ ମୁନ୍ଦାଏ ପାଇବା ପରେ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହାହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ର ଦୁର୍ଗମ ସୋନପୁର ପଞ୍ଚାୟତର ଅପହଞ୍ଚ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା, ବିନ୍ଧାଣି ସାହି, ପଦାସାହି ଓ ଛକସାହି ଭଳି ୪ଟି ପଡ଼ା ଗ୍ରାମର ଘଟଣା । ଏହି ୪ ପଡ଼ା ଗ୍ରାମରେ ରହିଥିବା ବହୁ ପୁରାତନ ଦୁଇଟି କୂଅ ଓ ବହୁବର୍ଷ ପୂର୍ବେ ବସିଥିବା ୩ଟି ନଳକୂଅ କେବେଠୁ ଅଚଳ ହୋଇ ପଡ଼ିଛି । କୂଅପାଣି ଆଉ ବ୍ୟବହାରଯୋଗ୍ୟ ହୋଇପାରୁନି । ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ୍ ପ୍ରଶାସନକୁ ବର୍ଷ ବର୍ଷ ଧରି ନେହୁରା ହୋଇଛନ୍ତି । ହେଲେ, ଏହି ଗୁହାରି କାହାର କାନରେ ପଡ଼ିଲାନି ।
