ଓଡ଼ିଶା ତାଜା ନ୍ୟୁଜ୍/୨୫ ଜୁନ ଶନିବାର/ଭୁବନେଶ୍ୱର :- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘର ସାଧାରଣ ପରିଷଦ ବୈଠକ ଆଜି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ କୁଳପତି ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ କହିଲେ ଯେ ନାରୀ ଶିକ୍ଷା ଦ୍ୱାରା ଭବିଷ୍ୟତ ପିଢ଼ିର ବିକାଶ ହୁଏ । ଜନ୍ମମାଟି ଓ ଶିକ୍ଷାନୁଷ୍ଠାନ ବ୍ୟକ୍ତି ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ନାରୀ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ଏଥି ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୃଷ୍ଟି ହୋଇଛି । ମା ରମୋଦେବୀଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ, ବିଶେଷ କରି ପୁରାତନ ଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟକୁ ଦେଶରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ନିର୍ମାଣ କରିପାରିବେ ।

ଆମ ରାଜ୍ୟର ଛାତ୍ରଛାତ୍ରୀମାନେ କେବଳ ଦେଶରେ ନୁହେଁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ସହ ଭଲ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ଆଜି ପୁରାତନ ଛାତ୍ରୀମାନେ ଅନେକ ସାଫଲ୍ୟ ପାଇଲେଣି ଓ ଏହି ଅନୁଷ୍ଠାନର ଛାତ୍ରୀ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ଏହା ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ । କୁଳପତି ତାଙ୍କ ଅଭିଭାଷଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ନେବାରେ ପୁରାତନ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ।
