ଓଡ଼ିଶା ତାଜା ନ୍ୟୁଜ୍/୨୫ ଜୁନ ଶନିବାର/ଭୁବନେଶ୍ୱର :- ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଦୁର୍ନୀତି ପାଇଁ ଏକ ଉର୍ବର ଭୂମି, ଦୁର୍ନୀତିର ଗନ୍ତାଘର । ମାଟି ଉପରେ ଥିବା ଜମି, ଜଳ, ଜଙ୍ଗଲ ଓ ମାଟି ତଳର ସମ୍ପଦ ହାତଗଣତି ପ୍ରଭାବଶାଳୀ ଲୋକଙ୍କ କବ୍ଜାରେ । ପ୍ରାକୃତିକ ସମ୍ପଦ ଉତ୍ତୋଳନ, ଖଣିଜ ସମ୍ପଦ ପରିବହନ, ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିକାଶ ପାଣ୍ଠିର ଆତ୍ମସାତ୍, ଭିତ୍ତିଭୂମି ନର୍ମାଣରେ ବ୍ୟାପକ ହରିଲୁଟ, ଆଇନ ପ୍ରବର୍ତ୍ତନ ନାମରେ ହାତ ଚିକ୍କଣ ଆଦି ସମ୍ବାଦପତ୍ରର ଶିରୋନାମା ପାଲଟିଛି । ତାହା ସତ ପ୍ରତିଦିନ ଯେପରି ସରକାରୀ କର୍ମଚାରୀ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଫୋକସରେ ରହିଛି ଓଡ଼ିଶା ।

ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଜାତୀୟ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଦୁର୍ନୀତି ହ୍ରାସ ପାଇଁ ବହୁ କାର୍ଯ୍ୟପନ୍ଥା ହାତକୁ ନେଇଛୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂସ୍ଥାର କମିଟି କାର୍ଯ୍ୟକ୍ଷମ ଥିଲାବେଳେ ଉପଖଣ୍ଡ ତଥା ବ୍ଲକସ୍ତରରେ କମିଟି ଗଠନ କରାଯାଇ, ତୃଣମୂଳସ୍ତରରେ ଅଭିଯାନକୁ ବ୍ୟାପକ କରାଯିବ ବୋଲି ରାଜ୍ୟ ସଭାପତି, ବରିଷ୍ଠ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର କର କହିଛନ୍ତି । ଦୁର୍ନୀତି ନିବାରଣରେ ସାମାଜିକ ସଂଗଠନମାନଙ୍କର ଦାୟିତ୍ୱ ଓ ଭୂମିକା ଉପରେ ସଂସ୍ଥା ପକ୍ଷରୁ ଏକ ସେମିନାର ଆସନ୍ତା ଜୁଲାଇ ୧୦ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ସଂସ୍ଥାର ରାଜ୍ୟ ସାଧାରଣ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ପ୍ରକାଶ କରିଛନ୍ତି ।
