ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁନ ରବିବାର/ଭୁବନେଶ୍ୱର :- ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି । ଅଧ୍ୟକ୍ଷ ଡ଼. ମହାନ୍ତି ଓଡ଼ିଶା ଲୋକ ସେବା ଆୟୋଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ୨୦୨୧-୨୨ ରେ ଆୟୋଗ ପ୍ରଥମ କରି ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଥିଲେ । କୋଭିଡ଼୍ ସମେତ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆୟୋଗ ଘୋଷିତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରିଥିବା ପ୍ରକାଶ କରି ଅଧ୍ୟକ୍ଷ ଡ଼. ମହାନ୍ତି ଏହି ସମୟରେ ଗ୍ରୁପ୍ -‘ଏ’ ଓ ‘ବି’ ରେ ୨୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିବା ସହ ୨୨ଟି ସରକାରୀ ବିଭାଗରେ ୧୫୩୬ ପଦୋନ୍ନତିକୁ ଆୟୋଗ ସ୍ୱୀକୃତି ଦେଇଥିବା କହିଥିଲେ ।

ଏହି ସମୟରେ ୨୨୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଏସଲା କରାଯାଇଛି । ଆୟୋଗ ଏହି ସଫଳତାରେ ଉତ୍ସାହିତ ହୋଇ ୨୦୨୨-୨୩ ପାଇଁ ୨୬ଟି ସରକାରୀ ବିଭାଗରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ସରକାରୀ ଚାକିରୀ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୀଘ୍ର ଫଳ ପ୍ରକାଶନ ଉପରେ ଆୟୋଗ ଗୁରୁତ୍ୱ ଦେଉଥିବା ପ୍ରକାଶ କରି ଅଧ୍ୟକ୍ଷ ଡ଼. ମହାନ୍ତି କହିଲେ ଯେ, ଚୟନ ପ୍ରକ୍ରିୟାରେ ବ୍ୟାପକ ପ୍ରବିଧିର ପ୍ରୟୋଗ ଓ ଶୀଘ୍ର ଫଳ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି । ଅନ୍ଲାଇନ ପୋର୍ଟାଲ ଓ ସମନ୍ୱିତ ନିଯୁକ୍ତି ପରିଚାଳନା ପଦ୍ଧତିର ଉନ୍ନତିକରଣ କରି ଏହାକୁ ବ୍ୟବହାରୀମାନଙ୍କ ପାଇଁ ସହଜ ଓ ସରଳ କରିବା ପାଇଁ ପ୍ରୟାସ କରାଯାଉଛି ।
