
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ଭୁବନେଶ୍ୱର :- ଆଜି ରଜ ସଜବାଜ । ଗାଁ ଗଣ୍ଡା ସହର ବଜାର ଚାରିଆଡ଼େ ରଜ ପର୍ବର ଆନନ୍ଦ ସୁଆର । ଆମ ଓଡ଼ିଶାର ଗଣ ପର୍ବ ରଜ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଚିତ । ଯାହାକୁ ଏବେ ବି ଉଦଜୀବିତ କରି ରଖିଛନ୍ତି କୋଟି କୋଟି ଓଡ଼ିଆ ।

ପ୍ରତି ବର୍ଷ ଜ୍ୟଷ୍ଠ – ଆଷାଢ଼ ମାସରେ ରଜ ପର୍ବ ପାଳନ କରାଯାଏ । ତେବେ ଏହି ରଜ ପର୍ବକୁ ୪ ଦିନ ଧରି ପାଳନ କରାଯାଏ । ରଜ ପର୍ବ ଟି ସାଧାରଣତଃ କୁଆଁରୀ ଝିଅ ମାନଙ୍କ ପାଇଁ ବିଶେଷ ପର୍ବ ହୋଇଥାଏ । ରଜ ର ପୂର୍ବଦିନ କୁ ସଜବାଜ ଓ ପରେ ରଜପର୍ବ ଆରମ୍ଭ ହୋଇଥାଏ ।
ଏହି ଦିନ ମାନଙ୍କ ରେ କୁଆଁରୀ ଝିଅ ମାନେ ନୂତନ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା ପଣା ଇତ୍ୟାଦି ଖାଇ ଦୋଳିରେ ଝୁଲି ମଉଜ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ । କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ତିନି ଦିନ ମାଟି ମା’ ର ବିଶ୍ରାମ ହେତୁ ଏହି ରଜ ପର୍ବ ଟି ଅତି ଆନନ୍ଦ ଉଲ୍ଲାସ ରେ ପାଳିତ ହୁଏ ।
ରଜ ର ପ୍ରଥମ ଦିନ କୁ ପହିଲି ରଜ ଓ ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏହାପରେ ତୃତୀୟ ଦିନ ଭୁଦାହ ଭାବେ ପାଳିତ ହେଉଥିବା ବେଳେ ଚତୁର୍ଥ ଦିନ ବସୁମତୀ ସ୍ନାନ ବିଧି ଅନୁସାରେ ରଜ ପର୍ବ ସମ୍ପନ୍ନ କରାଯାଏ । ଓଡ଼ିଆଙ୍କ ଗଣପର୍ବ ରଜ ର ଅନ୍ୟ ଏକ ପରମ୍ପରା ମଧ୍ୟ ରହିଛି ।
ମନ୍ଦିର ରେ ପୂଜା ପାଉଥିବା ଦେବୀ ମାନେ ଏହି ଦିନ ଗୁଡ଼ିକରେ ରଜସ୍ଫଳା ହୋଇଥାନ୍ତି ଯେଉଁଥିପାଇଁ ରଜ ରେ କୁଆଁରୀ ଝିଅ, ବୋହୂ ମାନେ କୌଣସି କାମ ନକରି ବିଶ୍ରାମ ନେଇଥାନ୍ତି ଓ ଭୂମିରେ ଚାଲିବା ପାଇଁ ମଧ୍ୟ ବାରଣ କରାଯାଇଥାଏ ।
କେବଳ ଝିଅ ମାନେ ନୁହନ୍ତି ଏହି ରଜ ୪ ଦିନ ଧରି ପୁରୁଷ ମାନେ କୃଷି କାର୍ଯ୍ୟ ରୁ ନିବୃତ ରହି ଗାଁ ଗଣ୍ଡା ରେ ଧୁମ୍ ଧାମରେ ରଜ ପର୍ବ କୁ ପାଳନ କରିଥାନ୍ତି । ଗତ ଦୁଇ ବର୍ଷ ଧରି କରୋନା ପାଇଁ ଲୋକ ମାନଙ୍କ ମଧ୍ୟରେ ଭୟ ରହିଥିବା ବେଳେ ଚଳିତ ବର୍ଷ ରଜ ପର୍ବ ର ବଜାର ରହିଥିବା ଦେଖିବାକୁ ମିଳିଛି ।
