
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ଭୁବନେଶ୍ୱର :- ଆବୁଧାବି,ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳନ କରାଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ସୁବୀସ୍ତିର୍ଣ୍ଣ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟର୍ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଦୀର୍ଘ ପ୍ରତିକ୍ଷିତ ଓ ବହୁଚର୍ଚ୍ଚିତ ମହାସମାରୋହକୁ କେନ୍ଦ୍ର କରି ସମଗ୍ର ଥିଏଟର୍ ପରିସର ଉତ୍ସବମୁଖର ହୋଇଉଠିବା ସହିତ ଏକ କ୍ଷୁଦ୍ର ଓଡ଼ିଶାର ଅନୁପମ ରୂପ ଧାରଣ କରିଥିଲା । ବିଶେଷକରି କୋଭିଡ୍ ଅବରୋଧ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ପ୍ରେକ୍ଷାଳୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ଯୋଗୁଁ ‘ଓସା’ର ସଦସ୍ୟ, ପରିବାରବର୍ଗ, ପରିଜନ ଓ ଶୁୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଦମ୍ୟ, ଅନନ୍ୟ ଓ ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନାର ଉତ୍ସ୍ୱାସ ଦେଖିବାକୁ ମିଳିଥିଲା ।

