ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ଭୁବନେଶ୍ୱର :- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ନବନିଯୁକ୍ତ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ସ୍ୱାଗତ କରାଯାଇଥିଲା । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ଡିଭିଜନର ରାଜସ୍ୱ ଆୟୁକ୍ତ, ବୋର୍ଡ଼ ଅଫ ରେଭିନ୍ୟìର ସଚିବ, ଲଘୁ ଖଣିଜ ସମ୍ପଦ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ରୋଟୀର ନିର୍ଦ୍ଦେଶକ, ଆଇ. ଜି. ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଓ ଯୁଗ୍ମ ରିଲିଫ କମିଶନର ମାନନୀୟା ମନ୍ତ୍ରୀ ମହୋଦୟାଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ରାଜସ୍ୱ ମନ୍ତ୍ରୀଙ୍କୁ ବିଭାଗର ବରିଷ୍ଠ ଅଧିକାରୀମାନେ ବିଭାଗରେ ହେଉଥିବା କାର୍ଯ୍ୟ ବିଷୟରେ ଯଥା ଦାଖଲ ଖାରଜ, ଘରବାଡ଼ି ପଟ୍ଟା, ସାର୍ଟିଫିକେଟ ସେବା, ରେଜିଷ୍ଟ୍ରେସନ ସେବା, ଲଘୁ ଖଣିଜ ସମ୍ପଦର ପରିଚାଳନା, ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କ ଥଇଥାନ, ହାଇ-ଟେକ ସର୍ଭେ, ଓଡିଶା ପ୍ରଶାସନିକ ସେବା ଓ ଓଡିଶା ରାଜସ୍ୱ ସେବାର ଅଧିକାରୀମାନଙ୍କ କାର୍ମିକ ପରିଚାଳନା ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ ।

ଏତଦ୍ବ୍ୟତୀତ ୫-‘ଟିି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ଲୋକହିତକାରୀ ପଦକ୍ଷେପ ଯଥା ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ବିନା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରମାଣପତ୍ର, ଡିଜି-ଲକର ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ଓ ଦରକାରୀ ଜମିଜମା ସମ୍ବନ୍ଧୀୟ କାଗଜପତ୍ରର ସଂରକ୍ଷଣ, ଲାଇସେନ୍ସପ୍ରାପ୍ତ ସର୍ବେକ୍ଷଣକାରୀମାନଙ୍କର ପ୍ରଚଳନ, ପାଉତି ପୋର୍ଟାଲ ମାଧ୍ୟମରେ ଅନଲାଇନ ଖଜଣା ଦେୟ ପୈଠ କରିବା, ସମସ୍ତ ପ୍ରକାର ସାର୍ଟିଫିକେଟ ସେବାକୁ ସମ୍ପୂର୍ଣ ମାଗଣା କରିବା, ରେଜିଷ୍ଟ୍ରେସନ ସେବା ସମ୍ବନ୍ଧୀୟ ସମସ୍ତ ଦେୟର ସିଙ୍ଗଲ ଉଇଣ୍ଡୋ ପେମେଣ୍ଟ ଇତ୍ୟାଦି ବିଷୟରେ ମନ୍ତ୍ରୀ ମହୋଦୟାଙ୍କୁ ସମ୍ୟକ ସୂଚନା ଦିଆଯାଇଥିଲା ।
