ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା : ୧୦ ଜଣ ପୂର୍ବତନ ମନ୍ତ୍ରୀ

ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ନୂତନ ଭାବେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ ୧୦ ଜଣ ପୂର୍ବତନ ମନ୍ତ୍ରୀ । ମେ’ ୪ ତାରିଖରେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା ପରେ ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ ଟିମ୍ ଗଠନ ହେଲା । ନବୀନଙ୍କ ନୂଆ ଟିମ୍‌ରେ ସାମିଲ ହେଲେ ୨୧ ଜଣ ମନ୍ତ୍ରୀ । ନୂଆ ଟିମରେ ନୂଆ ମୁହଁ ସାମିଲ ହୋଇଥିବା ବେଳେ ଅନେକ ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି । ମନ୍ତ୍ରିମଣ୍ଡଳରୁ ବାଦପଡ଼ିଥିବା ପୂର୍ବତନ ମନ୍ତ୍ରୀମାନେ ସୋମବାର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ନୂତନ ଭାବେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିଲେ ୧୦ ଜଣ ପୂର୍ବତନ ମନ୍ତ୍ରୀ । ଏମାନଙ୍କ ମଧ୍ୟରେ ରହିଛନ୍ତି ଅରୁଣ ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସୁଶାନ୍ତ ସିଂହ, ସୁଦାମ ମାର୍ଣ୍ଡି, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ପ୍ରମୁଖ ।

ରବିବାର, ମେ’ ୫ ତାରିଖରେ ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ସୋମବାର, ମେ’ ୬ ତାରିଖରେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା ନେତାମାନେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ମନ୍ତ୍ରୀମାନେ ନବୀନ ନିବାସରୁ ବାହାରିବା ପରେ ପ୍ରକୃତ କଥା ଜଣାପଡ଼ିଥିଲା । ନବୀନ ନିବାସରୁ ବାହାରିବା ପରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବାରୁ ନିଶ୍ଚିତ ଭାବେ ଦୁଃଖ ଲାଗିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ଦର ଏବଂ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି କରିଥାନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ । ଦଳର ସଂଗଠନକୁ ମଜବୁତ କରିବା ଲାଗି କାମ କରିବୁ ମୁଖ୍ୟମନ୍ତ୍ରୀ କହିଛନ୍ତି” ।

ପୂର୍ବତନ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ପୂର୍ବତନ ମନ୍ତ୍ରୀମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । “ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇ ନାହିଁ ବୋଲି ଆଲୋଚନା ସମୟରେ କହିଥିଲେ ମୁଖ୍ୟମନ୍ତ୍ରୀ । ଆମେ ଦଳ ପାଇଁ ନିଜ ନିଜର କାମ କରୁଛୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ଵ ଦେବେ ତାକୁ ମଧ୍ୟ କରିବୁ”, ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

ନୂଆ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତାମାନଙ୍କୁ ମନେଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ସମସ୍ତଙ୍କୁ ନବୀନ ନିବାସକୁ ଡାକିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଗକୁ ଏହି ନେତାମାନଙ୍କୁ ସଂଗଠନର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯିବା ବୋଲି କୁହାଯାଉଛି । ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ଏବଂ ଅରୁଣ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଦଳ ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏ ନେଇ ମଧ୍ୟ ଆଲୋଚନା ହୋଇଛି ।

Exit mobile version