ଓଡିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି : ଓଡ଼ିଶାର ଫଳକ ଭାଙ୍ଗି ଗଜପତି ଜିଲ୍ଲାର ବଡଖୀଙ୍ଗା ସୀମାରେ ଆନ୍ଧ୍ର ଅନୁପ୍ରବେଶ କରି ରାସ୍ତା ନିର୍ମାଣ କାମ ଜାରି ରଖିଛି 

ଓଡିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି

ଗଜପତି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଥିବା ସୀମାରେ ଅନୁପ୍ରବେଶ କରି ଦୀର୍ଘ ୨ମାସ ହେଲା ଆନ୍ଧ୍ରର ଠିକାଦାର ଏହିକାମ ଜାରୀ ରିଖିଥିବା ବେଳେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନରହିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଓଡ଼ିଶା ତାଜା ନ୍ୟୁଜ୍/୦୬ ଜୁନ ସୋମବାର/ପାରଳାଖେମୁଣ୍ଡି :- ଓଡିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । ଯଦିଓ ସୀମାନ୍ତ ଅଞ୍ଚଳରେ ପଡୋଶୀ ରାଜ୍ୟ ଅନୁପ୍ରବେଶ କରିବା କିଛି ନୂଆ କଥା ନୁହେଁ, ତଥାପି ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ଗଜପତି ଜିଲ୍ଲାର ବଡଖୀଙ୍ଗା ସୀମାରେ ଆନ୍ଧ୍ର ଅନୁପ୍ରବେଶ କରି ରାସ୍ତା ନିର୍ମାଣ କାମ ଜାରି ରଖିବା ଘଟଣା ଏବେ ସାମ୍ନାକୁ ଆସିଛି । ଜିଲ୍ଲା କାଶୀନଗର ତହସିଲ ଅନ୍ତର୍ଗତ ଗୋବିନ୍ଦପୁର ମୌଜାରେ କିଛି ଅଞ୍ଚଳରେ ଅନୁପ୍ରବେଶ କରି ଖୀଙ୍ଗାଗାଁକୁ ଲାଗି ରହିଥିବା ସୀମାରେ ପଶି ରାସ୍ତା କାମ ପୁଣିଥରେ ଆରମ୍ଭ କରିଥିବା ବେଳେ ପ୍ରଶାସନ ପାଖରେ ଏନେଇ ଖବର ନାହିଁ । ତେବେ ଏନେଇ ଖବର ପାଇବା ପରେ ଏହାକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ଗଜପତି ଜିଲ୍ଲା ପ୍ରଶାସନ ।

ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିର, ଗଜପତି ବଡଖୀଙ୍ଗାରେ କରୁଛି ରାସ୍ତା ନିର୍ମାଣଏହି ରାସ୍ତାକାମ ପାଇଁ ଆନ୍ଧ୍ର ଗତ ୨୦୧୮ମସିହା ମାର୍ଚ୍ଚ ମାସରେ ମାଟି ପକାଇଥିଲା । ଏନେଇ ବିଭିନ୍ନଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ କାଶୀନଗର ତକ୍ରାଳୀନ ତହସିଲଦାର ମନୋରଞ୍ଜନ ସାହୁ ଏବଂପାରଳାଖେମୁଣ୍ଡିର ତକ୍ରାଳୀନ ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ବାଳ ଘଟଣା ସ୍ଥଳକୁ ଯାଇ ଏହି କାମ ବନ୍ଦ କରିବା ପାଇଁ ତାଗିଦ କରିବା ସହ ସୀମା ମାପଚୁପ କରିଥିଲେ । ଏହାପରେ ନିଜର ସୀମାରେ ଫଳକ ଲଗାଇ ଅନଧିକାର ପ୍ରବେଶ ଉପରେ ରୋକ୍‌ ଲଗାଇଥିଲେ ।

ହେଲେ କିଛି ଦିନ ଏହି କାମକୁ ବନ୍ଦ ରଖିବା ପରେ ସେହି ବର୍ଷ ଏପ୍ରିଲ ମାସରେ ପୁଣିଥରେ ଏହି କାମ ଆରମ୍ଭ କରିଥିଲା ଆନ୍ଧ୍ର ।ମେଟାଲ ପକାଇବା ସହ ରାସ୍ତା କାମକୁ ଆଗେଇ ନେଇଥିଲା ଏସଂପର୍କରେ ଖବର ପାଇବା ପରେ ପ୍ରଶାସନ ପୁଣି କାମ ବନ୍ଦ କରାଇଥିଲା । ସେହଦିନ ଠାରୁ ଚୁପ୍‌ ରହିଥିବା ଆନ୍ଧ୍ର ପ୍ରଶସାନ ଦୀର୍ଘ ୪ ବର୍ଷ ପରେ ଏବେ ପୁଣି ଏହି ରାସ୍ତାକାମ ଆରମ୍ଭ କରିଛି । ଏପରିକି ଓଡିଶା ପକ୍ଷରୁ ଲଗାଯାଇଥିବା ସୀମା ଫଳକକୁ ଆନ୍ଧ୍ର ଠିକାଦାର ଭାଙ୍ଗିଦେଇ ଏହି କାମ ଜାରି ରଖିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ସରକାର ସୀମା ବିବାଦର ସ୍ଥାୟୀ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛିନ୍ତି ।

ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଥିବା ସୀମାରେ ଅନୁପ୍ରବେଶ କରି ଦୀର୍ଘ ୨ମାସ ହେଲା ଆନ୍ଧ୍ରର ଠିକାଦାର ଏହିକାମ ଜାରୀ ରିଖିଥିବା ବେଳେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନରହିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଖବର ପାଇବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଖବର ପାଇବା ପରେ ଘଟଣାସ୍ଥଳକୁ କାଶୀନଗର ତହସିଲଦାରଙ୍କୁ ପଠାଯାଇଛି । ତୁରନ୍ତ ଏହି କାମ ବନ୍ଦ କରାଇବା ସହଏଭଳିବେଆଇନ କାମ କରିଥିବା ଠିକାଦାର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Exit mobile version