ସୂଚନା ଓ ଲୋକସଂପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ କାର୍ଯ୍ୟରତ ତିନିଜଣ ଅଧିକାରୀ ଏବଂ କର୍ମଚାରୀ ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁଗ୍ମ ଶାସନ ସଚିବ ଶ୍ରୀ ଦୁର୍ଯେ୍ୟାଧନ ବେହେରା, ଡିଜାଇନର ତଥା ଆର୍ଟିଷ୍ଟ ଶ୍ରୀ ମାନସ ରଞ୍ଜନ ନାୟକ ଓ କନିଷ୍ଠ ଡାଏରିଷ୍ଟ ଶ୍ରୀ ଅକ୍ଷୟ କୁମାର ଦାସ ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ସମ୍ବର୍ଦ୍ଧନା ଗ୍ରହଣ ପରିପ୍ରେକ୍ଷୀରେ ଯୁଗ୍ମ ଶାସନ ସଚିବ ଶ୍ରୀ ବେହେରା ତାଙ୍କ ଚାକିରି ଜୀବନ କାଳରେ ବିଭିନ୍ନ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରିଥିବା ଅନୁଭୂତି ପ୍ରକାଶ କରିଥିଲେ ।

କାର୍ଯ୍ୟ ସଂପାଦନ କଲାବେଳେ ନିଜର ଅବହେଳାରୁ ଯେପରି କୌଣସି କର୍ମଚାରୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟିଦେଇ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହ କାର୍ଯ୍ୟ କରିବା ଉପରେ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ଡିଜାଇନର ତଥା ଆର୍ଟିଷ୍ଟ ଶ୍ରୀ ନାୟକ ବିଭାଗର ଜଣେ ଉଚ୍ଚକୋଟୀର ଡିଜାଇନର ଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ପ୍ରକାଶନ, ସରକାରୀ ବିଜ୍ଞାପନ ଓ ପ୍ରଦର୍ଶନୀ ଡିଜାଇନ୍‌ ଆଦି ପ୍ରସ୍ତୁତିରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଥିଲା ବୋଲି ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ପ୍ରକାଶ କରିଥିଲେ ।

ଅବସର ଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟସଂପାଦନା ଶୈଳୀ, କର୍ତ୍ତବ୍ୟନିଷ୍ଠା ସଂପର୍କରେ ଆଲୋକପାତ କରି ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ଶ୍ରୀମଦ ଭଗବତ ଗୀତା ପ୍ରଦାନପୂର୍ବକ ସମସ୍ତଙ୍କର ଅବସରକାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସେବାନିବୃତ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ବିଭାଗୀୟ କାର୍ଯ୍ୟ ସଂପାଦନରେ ରହିଥିବା ସହଯୋଗ ସଂପର୍କରେ ବର୍ଣ୍ଣନା କରିଥିଲେ । ବିଭାଗର କର୍ମଚାରୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ବିଭାଗର ବିଭିନ୍ନ ଶାଖାର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Exit mobile version