ବିଧାୟକମାନଙ୍କ ବାସଭବନ ପରିସରରୁ ଗଛକଟାକୁ ପ୍ରେରଣା ପକ୍ଷରୁ ବିରୋଧ ଓ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ୪ ନମ୍ବର ବିଧାୟକମାନଙ୍କ ବାସଭବନ କଲୋନୀ ପରିସରରୁ ପ୍ରାୟ ୧ହଜାର ପାଖାପାଖି ୪୦/୫୦ ବର୍ଷର ପୁରୁଣା ଗଛକୁ କାଟି ସରକାର ବିଧାୟକମାନଙ୍କ ପାଇଁ ନୂଆ ବାସଭବନ ନିର୍ମାଣ କରିବା ପାଇଁ ଯେଉଁ ଅଭିଯାନ ଜାରି ରଖିଛନ୍ତି, ଆଜି ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ତାର ଘୋର ବିରୋଧ କରାଯାଇଛି । ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଗଛକୁ ଧରି ଓ ଗଛମୂଳେ ଶୋଇ ପ୍ରତିବାଦ ଜଣାଇବା ସହ କହିଥିଲେ ଯେ, ଏହି ଗଛଗୁଡ଼ିକ କଟାଯିବା ଦ୍ୱାରା ଭୁବନେଶ୍ୱର ସହର ପ୍ରଥମତଃ ଶ୍ରୀହୀନ ହେବ, ଦ୍ୱିତୀୟତଃ ଏହାର ଉତ୍ତାପ ବୃଦ୍ଧି ପାଇବ,

ତୃତୀୟତଃ ସହରର ବାୟୁମଣ୍ଡଳ ଅତିମାତ୍ରାରେ ପ୍ରଦୂଷିତ ହେବ । ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ ଯେ, ସମଗ୍ର ଭାରତବର୍ଷର ଭୁବନେଶ୍ୱର ହିଁ ହେବ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ରାଜଧାନୀ । କାରଣ ଭୁବନେଶ୍ୱରର ସବୁଜିମା ଓ ବୃକ୍ଷଲତା ଦ୍ୱାରା ସେ ବିମୁଗ୍ଧ ହୋଇଥିଲେ । ବର୍ତ୍ତମାନର ସରକାର ଭୁବନେଶ୍ୱର ଏକନମ୍ବର ସ୍ମାର୍ଟସିଟି କହୁଥିବା ବେଳେ ଅଧିକ ଗଛ ଲଗାଇବା ପରିବର୍ତ୍ତେ ଗଛ କାଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ।

ଯଦି ସରକାର ଏହି ଗଛକଟାରୁ ନିବୃତ୍ତ ନରୁହନ୍ତି, ଆଗାମୀ ଦିନରେ ପ୍ରେରଣା ପକ୍ଷରୁ ଜୋରଦାର ବିପ୍ଲବ କରାଯିବା ସହ ପ୍ରୟୋଜନ ହେଲେ ଆଇନର ଆଶ୍ରୟ ନେଇ ଗ୍ରୀନ୍ ଟ୍ରିବୁନାଲ, ହାଇକୋର୍ଟରେ ପିଆଇଏଲ୍‌ ଫାଇଲ୍ କରାଯିବା ସହ ସୁପ୍ରିମକୋର୍ଟର ମଧ୍ୟ ଆଶ୍ରୟ ନିଆଯିବ । ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣା ଗ୍ରୀନ୍ ଆର୍ମିର ଯୁବ ସଂଯୋଜକ ମୀର ଅହମ୍ମଦ ଅଲ୍ଲୀ, ଅନ୍ୟତମ ସଂଯୋଜକ ଡଃ ନିରୋଦ ଖୁଣ୍ଟିଆ, ମନୋରଞ୍ଜନ ବାରିକ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଏଥିରେ ଯୋଗଦାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Exit mobile version