ସର୍ବଭାରତୀୟ ସ୍ତରେ ଓଡ଼ିଆ ଶିଳ୍ପୀମାନଙ୍କ କଳାକୃତିର ବହୁ ଚାହିଦା ରହିଛି : ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ

ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ବରିଷ୍ଠ ଶିଳ୍ପୀ ଶ୍ରୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୨୦୨୧ ମସିହା ପାଇଁ ଧର୍ମପଦ

ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ଭୁବନେଶ୍ୱର :- ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ‘ଧର୍ମପଦ’ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶିଳ୍ପୀ ଶ୍ରୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୨୦୨୧ ବର୍ଷ ପାଇଁ ‘ଧର୍ମପଦ’ ପୁରସ୍କାର ପ୍ରଦାନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଅସ୍ମିତା, କଳା, ସଂସ୍କୃତି ବଞ୍ଚାଇବା ପାଇଁ ‘୫-ଟିି’ ଅଧୀନରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି କଳା ଓ କଳାକାରମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ବଦ୍ଧପରିକର ଜ୍ଜଟ୍ଟ; ଚିତ୍ରଶିଳ୍ପୀମାନଙ୍କର ସ୍ୱପ୍ନ ଚାରି ଏକାଡେମୀ ମାଧ୍ୟମରେ ସାଧିତ ହେବ

ଓଡ଼ିଶାର ଶିଳ୍ପୀମାନେ କେବଳ ଓଡ଼ିଶାର ସମ୍ପତ୍ତି ନୁହନ୍ତି ସେମାନେ ସାରା ଭାରତର ସମ୍ପତ୍ତି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଶିଳ୍ପୀମାନଙ୍କର କଳାକୃତିର ବହୁ ଚାହିଦା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଓଡ଼ିଶାର ସମସ୍ତ ଶିଳ୍ପୀ ସଫଳତାର ଶୀର୍ଷରେ ପହିଞ୍ଚି ପାରୁ ନାହାନ୍ତି ତେଣୁ ମୁଖ୍ୟତଃ ଯୁବଶିଳ୍ପୀମାନଙ୍କ ପାଇଁ ଏକ ନିୟମିତ ରୋଜଗାର ବ୍ୟବସ୍ଥା କରିବାକୁ ବିଭାଗ ଚେଷ୍ଟା କରୁଛି ଚିତ୍ର ଓ ମୂର୍ତ୍ତିଗୁଡ଼ିକର ଚାହିଦା ବଢ଼ିଲେ ହିଁ ଶିଳ୍ପୀମାନେ ଉପକୃତ ହେବେ ସରକାର ଓ ବିଭାଗ ସହିତ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଉଲ୍ଲେଖ କରିଛନ୍ତି ଶ୍ରୀ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀମତୀ ଜ୍ୟୋର୍ତିମୟୀ ମହାନ୍ତି, ଶ୍ରୀ ବଳଦେବ ମହାରଥା, ଶ୍ରୀ ଦୁର୍ଗାଚରଣ ପଣ୍ଡା, ଶ୍ରୀ ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି

 ଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କୁ ‘ଧର୍ମପଦ’ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ବେଳେ ଅନ୍ୟ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୪୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଶାସନରେ ଜନ୍ମଗ୍ରହଣ କରି ଚିତ୍ରକଳା ତଥା ଡିଜାଇନ୍‌ରେ ଶୀର୍ଷ ସ୍ଥାନରେ ଶ୍ରୀ ପଟ୍ଟନାୟକ ପହଞ୍ଚି ପାରିଛନ୍ତି । ସେ ଓଡ଼ିଶାର ବୁଣାକାରମାନଙ୍କୁ ନୂଆ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍‌ସା ପ୍ରୟୋଗର ମାର୍ଗଦର୍ଶନ ଦେଇ ଅନୁପ୍ରାଣିତ କରି ଆସୁଛନ୍ତି । ଶିଳ୍ପୀ ଶ୍ରୀମତୀ ମହାନ୍ତି ଜଣେ କଳା ଶିକ୍ଷୟିତ୍ରୀ ଭାବରେ ଅନେକ ଉଚ୍ଚକୋଟୀର ଚିତ୍ର ଆଙ୍କିବା ସହିତ ଅନ୍ୟମାନଙ୍କ ଦ୍ୱାରା ଚିତ୍ର ଅଙ୍କନ କରାଇ ନାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।

ଶ୍ରୀ ମହାରଥା ବି.କେ. ଚାରୁକଳା ମହାବିଦ୍ୟାଳୟରେ ଦୀର୍ଘ ଦିନ ଶିକ୍ଷାଦାନ ଦେଇ ଅନେକ ଶିଳ୍ପୀ ସୃଷ୍ଟି କରିବା ସହିତ ସମସାମୟିକ କଳା ପୃଷ୍ଠଭୂମିରେ ଜଣେ ଅଗ୍ରଣୀ ଚିତ୍ରଶିଳ୍ପୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସେହିପରି ଶିଳ୍ପୀ ଶ୍ରୀ ପଣ୍ଡା ଚିତ୍ରକଳା ବ୍ୟତୀତ ଓଡ଼ିଶାର ସ୍ଥାପତ୍ୟ, ମନ୍ଦିର ଭାସ୍କର୍ଯ୍ୟ ଉପରେ ଅନେକ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଚିତ୍ରଗୁଡ଼ିକରେ ବହୁଳ ଭାବରେ ଲୋକକଳା ଏବଂ ଲୋକସଂସ୍କୃତିର ଝଲକ ଦେଖିବାକୁ ମିଳେ । ଶ୍ରୀ ସୁର ଖଲ୍ଲିକୋଟସ୍ଥିତ ସରକାରୀ କଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଅନେକ ଛାତ୍ରଙ୍କ ଜୀବନ ଗଢ଼ିଛନ୍ତି ।କୋଲାଜରେ ନିଜର ଏକ ସ୍ୱତନ୍ତ୍ର ଚିତ୍ରଶୈଳୀ ସୃଷ୍ଟି କରି ସୁଖ୍ୟାତି ଅର୍ଜନ କରିଛନ୍ତି । ପୁରୀର ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ପାରମ୍ପରିକ ପ୍ରସ୍ତର ଭାସ୍କର୍ଯ୍ୟରେ ନିଜ କଳା ଦକ୍ଷତାକୁ ପ୍ରତିପାଦନ କରିବା ସହିତ ଜଣେ ଦକ୍ଷ ପାରମ୍ପରିକ କଳା ଗୁରୁ ଭାବରେ ବେଶ୍‌ ପରିଚିତ ।

ନିଜ ନିଜ କ୍ଷେତ୍ରରେ ଦକ୍ଷତାର ଶୀର୍ଷରେ ପହଞ୍ଚିବା ସହିତ ଓଡ଼ିଶାର କଳାକ୍ଷେତ୍ରକୁ ଏହି ଶିଳ୍ପୀମାନେ ଋଦ୍ଧିମନ୍ତ ଓ ଗୌରବାନ୍ୱିତ କରିଆସୁଛନ୍ତି । ସମ୍ମାନିତ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ଏକାଡେମୀର ସଭାପତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ, ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମଶ୍ରୀ ଶ୍ରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଶ୍ରୀ ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ, କଳାନୁରାଗୀ ଓ ଛାତ୍ରୀଛାତ୍ରୀମାନେ ଉପସ୍ଥିତ ଥିଲେ ।

Exit mobile version