ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ : ଲାଞ୍ଜିପଦର ଠାରେ ମର୍ମନ୍ତୁଦ ଦୁର୍ଘଟଣା

ଓଡ଼ିଶା ତାଜା ନ୍ୟୁଜ୍/୩୦ ମଇ ସୋମବାର/ଗଜପତି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିପଦର ନିକଟରେ ସୋମବାର ସକାଳ ପ୍ରାୟ ସାଢେ଼ ଆଠ ଘଣ୍ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ପେଗେଡା ଗ୍ରାମର ସୁମନ୍ତ ଶବର (୩୨) ଓ ଗ୍ରହଣ ଚନ୍ଦ୍ର ନାୟକ (୧୪) କୌଣସି କାମରେ ଲାଞ୍ଜିପଦର ଠାରୁ ସାଇକେଲରେ ଫେରୁ ଥିବା ସମୟରେ ଲାଞ୍ଜୀପଦର ଠାରୁ ରାୟଗଡ଼ ଅଭିମୁଖେ ଆସୁଥିବା ଏକ ନୀଳ ରଙ୍ଗର ଅଟୋ ଉକ୍ତ ସାଇକେଲ କୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁମନ୍ତ ଓ ଗ୍ରହଣ ଅଚେତ ଅବସ୍ଥାରେ ପଡିରହିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ଉକ୍ତ ଅଟୋକୁ ଅଟକାଇ ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ କହିଥିଲେ କିନ୍ତୁ ଉକ୍ତ ଅଟୋ ଆହାତ ମାନଙ୍କୁ ମେଡିକାଲ ନେବା ପରିବର୍ତ୍ତେ କୃଷ୍ଣପୁର ନିକଟରେ ରାସ୍ତା କଡ଼ରେ ପକେଇଦେଇ ଚାଲିଯାଇଥିଲା। କୌଣସି ପ୍ରକାରେ ୧୦୮ କର୍ମଚାରୀ ମାନେ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ରାୟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଖବର ପାଇ ରାୟଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

Exit mobile version