ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/ଭୁବନେଶ୍ୱର :- ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା ।

ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ । ସେ ଥିଲେ ସୁଲକ୍ଷଣୀ । ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପସ୍ଥିତିର ଏକ ଭାବପୂର୍ଣ୍ଣ ଫରକ ସେ ଅବତାରଣା କରିଥିଲେ । ପ୍ରତିବର୍ଷ ୧୦ ହଜାର ଗୌରଭକ୍ତଙ୍କୁ ନେଇ ଶଙ୍ଖଣାରେ ଯେଉଁ ଅଷ୍ଟପ୍ରହରୀ ହେଉଥିଲା ତାହାକୁ ଶ୍ରମତୀ ଜେନା ପରିଚାଳନା କରୁଥିଲେ । ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବୀ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜେନା ପରିବାରଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାବରେ ସେ ମମତା ମଞ୍ଜରୀଙ୍କର ସ୍ନେହଭାଜନ ହୋଇଥିଲେ ।
