ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍ସିଟିଇଭିଟି) ଆଜି ଜିନ୍ଦଲ ଷ୍ଟେନଲେସ୍ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଏହି ଏମଓୟୁ ଅଧୀନରେ ଜୁନ୍ ୨୦୨୨ ରୁ ଓଡିଶାର ସମସ୍ତ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍ ଷ୍ଟିଲ୍ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ । ଏସସିଟିଇଭିଟି ଉପାଧ୍ୟକ୍ଷ, ଶ୍ରୀ ରେଘୁ ଜି ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ (ଜେଏସଏଲ) ୟୁନିଟ୍ ମୁଖ୍ୟ ଶ୍ରୀ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ଜିନ୍ଦଲ ଷ୍ଟେନଲେସ୍ ସହିତ ଏହି ସହଯୋଗ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ ଏବଂ ଏହା ପଲିଟେକ୍ନିକ୍ରେ ଶିଳ୍ପ ଅଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ । ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି ଏବଂ ଭିତ୍ତିଭୂମି ତଥା ବୈଷୟିକ ତାଲିମ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ପୁଞ୍ଜି ବିନିଯୋଗ କରୁଛନ୍ତି । ଡିପ୍ଲୋମା ପ୍ରଶିକ୍ଷାର୍ଥୀମାନେ ସ୍କିଲ ମାଧ୍ୟମରେ ଶ୍ରମିକ ଏବଂ ଇଞ୍ଜିନିୟରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବାରୁ ସେମାନେ ଯେକୌଣସି ଶିଳ୍ପ ସଂସ୍ଥାର ମେରୁଦଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି ।
