ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଗଞ୍ଜାମ ଜିଲ୍ଲାର ଅର୍ଜୀପାଲୀଠାରେ ଅବସ୍ଥିତ ଗୋପାଳପୁର ବନ୍ଦର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଥିଲା ।

ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ମସିହା ସେପେଫମ୍ବର ୧୪ ତାରିଖରେ ସରକାରୀ-ବେସରକାରୀ ଭାଗୀଦାରି(ପିପିପି) ମୋଡ୍ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ଦ୍ୱାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି ।
