ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର / ଭୁବନେଶ୍ୱର :- ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ ସୃଷ୍ଟିର ଗୋଟିଏ ଅଂଶ ଓ ଆମ ଯୋଗୁଁ ସୃଷ୍ଟି ରହିନି । ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମେ ନିଜେ ହିଁ ଆମ ନିଜକୁ ବଞ୍ଚାଇବାକୁ ପଡ଼ିବ । ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ପଡ଼ିବ । ଆମର ସ୍ୱାର୍ଥ ପାଇଁ ଜୈବବିବିଧତାର ସଂରକ୍ଷଣର ନିତାନ୍ତ ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ଏ ଦିଗରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି । ପୂର୍ବତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଡ. ସଂଦୀପ ତି୍ରପାଠୀ କହିଛନ୍ତି ଯେ ଖାଦ୍ୟଠାରୁ ଆରମ୍ଭ କରି ପାଣି, ପବନ ପର୍ଯ୍ୟନ୍ତ ମଣିଷର ସମସ୍ତ ଆବଶ୍ୟକତା ଜୈବବିବିଧତାରୁ ମିଳିଥାଏ ।

ଓଡ଼ିଶା ଜୈବବିବିଧତାରେ ସମୃଦ୍ଧ । ସଦ୍ୟତମ ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୯୯୩ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି । ଚିଲିକା ଓ ଭିତରକନିକା ଭଳି ଦୁଇଟି ରାମ୍ସାର ସାଇଟ୍ ଆର୍ଦ୍ରଭୂମି ଓଡ଼ିଶାକୁ ଜୈବବିବିଧତା କ୍ଷେତ୍ରରେ ଅଧିକ ପରିପୁଷ୍ଟ କରିଛି । ଜଳବାୟୁ ପରବର୍ତ୍ତନ ହେଉଛି ଜୈବବିବଧତା ପାଇଁ ବଡ଼ ବିପଦ । ଓଡ଼ିଶା ରାଜ୍ୟ ଜୈବବିବିଧତା ବୋର୍ଡ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ସ୍ୱାଗତ ଭାଷଣ ଦେଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଚଳିତ ବର୍ଷ ‘ଜୀବଜଗତର ପ୍ରତ୍ୟେକ ଜୀବନ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି । ଭାରତରେ ଦେଖାଯାଉଥିବା ୧୬ ପ୍ରକାରର ପ୍ରମୁଖ ଜଙ୍ଗଲ ମଧ୍ୟରୁ ୫ ପ୍ରକାର ଓଡ଼ିଶାରେ ଦେଖାଯାଏ ।
