ବାଚସ୍ପତିଙ୍କ ସହ ସେ୍ୱଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ସୌଜନ୍ୟ ସାକ୍ଷାତ

ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କ ଉତ୍ତର ଦାୟିତ୍ୱ-ବାଚସ୍ପତି

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ ଭୁବନେଶ୍ୱର :- ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଅନ୍ତର୍ଜାତୀୟ ସେ୍ୱଚ୍ଛାସେବୀ ସଂଗଠନ କ୍ୟାଥେଲିକ୍‌ ରିଲିଫ୍‌ ସର୍ଭିସ୍‌ ଓ ଓଡ଼ିଶାର ସେ୍ୱଚ୍ଛାସେବୀ ସଂଗଠନ ‘ଅରୁା’ର କର୍ମକର୍ତ୍ତା ସୌଜନ୍ୟ ସାକ୍ଷାତ କରିଛନ୍ତି । ରାଜ୍ୟର ଅନାଥ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହ କରିଛନ୍ତି । ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ସେ୍ୱଚ୍ଛାସେବୀ ସଂଗଠନ ଦ୍ୱୟର ବିବିଧ ଲୋକହିତକାରୀ କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ସାଧୁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାର ଅନାଥ ଶିଶୁମାନଙ୍କ ସାମାଜିକ-ଅର୍ଥନୈତିକ ସ୍ଥିରତା, ଉଚ୍ଚଶିକ୍ଷା ଓ ଥଇଥାନ ପାଇଁ ‘ଆଶୀର୍ବାଦ’ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେ୍ୱଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏହାର ପ୍ରଶଂସା କରିବା ସହ ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ତାଙ୍କ ନିଜ ଘର ହେଉଛି ପ୍ରକୃଷ୍ଠ ସ୍ଥାନ କାରଣ ନିଜ ଘରେ ଯେଉଁ ଆତ୍ମୀୟତା ମିଳେ ତାହା ଅନ୍ୟ କେଉଁଠି ମିଳେ ନାହିଁ ବୋଲି ସେମାନେ ପ୍ରକାଶ କରିଥିଲେ । ମଧୁବାବୁ ପେନ୍‌ସନ୍‌ ଯୋଜନା ଭଳି ପଞ୍ଚାୟତ ସ୍ତରରେ ଅନାଥ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ଅଧିକ କ୍ରିୟାଶୀଳ ଏବଂ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ନୀତିରେ ଯଥାବିଧି ପରିବର୍ତ୍ତନ ଅଣାଯାଇପାରିଲେ ଶିଶୁମାନେ ଅଧିକ ଉପକୃତ ହୁଅନ୍ତେ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ବାଚସ୍ପତିଙ୍କ ସହ ଆଗାମୀ ସାକ୍ଷାତକାରରେ ସଂଗଠନ ପକ୍ଷରୁ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ଜରିଆରେ ରାଜ୍ୟର ଅନାଥ ଶିଶୁଙ୍କ ସଂପର୍କିତ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ବିଧାନସଭା ନିର୍ଦ୍ଦେଶକ (ଗବେଷା) କୃପାସିନ୍ଧୁ ମିଶ୍ର, କ୍ୟାଥୋଲିକ୍‌ ରିଲିଫ୍‌ ସର୍ଭିସ୍‌ ପକ୍ଷରୁ ଜି. ସେନ୍ଥିଲ୍‌ କୁମାର, ଜୋମି ଯୋଶେଫ୍‌, ‘ଅରୁା’ର ଲୋକନାଥ ମିଶ୍ର, ମନୋରଞ୍ଜନ ଦାସ, ନିବେଦିତା ଗୁହା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

Exit mobile version