ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପୁନଃନିର୍ମlଣ କାର୍ଯ୍ୟ – ଶିଳାନ୍ୟାସ 

ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ବାସୀଙ୍କ ସପ୍ନ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପୁନଃନିର୍ମାଣ କାର୍ଯ୍ୟ ଆଉ ପାଦେ ଆଗେଇଛି । ମନ୍ଦିର ନିର୍ମାଣ କାମ ଗତ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ଯାଏଁ ସରିବା ତ ଦୂରର କଥା ପୁନାଦି କାମ ମଧ୍ୟ ଶେଷ ହୋଇନାହିଁ । ଶୁକ୍ରବାର ପୁନାଦି ନିର୍ମାଣ ପାଇଁ ସମୂହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଶିଳା ସ୍ଥାପନ କରିଥିଲେ । ପାରଳା ମହାଦେଇ କଲ୍ୟାଣୀ ଗଜପତିଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ପ୍ରଶାସନ ମଧ୍ୟ ସାମିଲ ହୋଇଛି । କାର୍ଯ୍ୟଦ୍ବିତୀୟ ପୁରୀ ଭାବେ ପରିଚିତ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଦୀର୍ଘ 5ବର୍ଷ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାଁ ଧରୁନାହିଁ ।

ଏପରିକି ମନ୍ଦିରର ପୁନାଦି କାମ ମଧ୍ୟ ଶେଷ ହୋଇପାରୁନାହିଁ । ଶୁକ୍ରବାର ପୁନାଦି କାମ ପାଇଁ ଶିଳା ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି । 3ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଜାଜପୁର ଗାଁରୁ ଏକ ବିରାଟ ପଟୁଆରରେ ଶ୍ରଦ୍ଧାଳୁମାନେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି କାମ ପାଇଁ ପ୍ରଥମେ ଯେଉଁ ଗାତ ଖୋଳାଯାଇଥିଲା, ତାହା ଦୀର୍ଘ ଦିନ ଯାଏଁ ପୋତା ହୋଇପାରିନଥିଲା । ଫଳରେ ଏହା ଏକ ପୁଷ୍କରିଣୀର ଭ୍ରମ ସୃଷ୍ଟି କରିବା ସହ ଅସ୍ଥାୟୀ ଜଗନ୍ନାଥ ମନ୍ଦିରର କ୍ଷତି କରିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଗାତ ପୂରଣ କରାଯିବା ସହ ପୁନାଦି କାମ ଆରମ୍ଭ ହୋଇଛି ।

ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇ ଶିଳା ସ୍ଥାପନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପାରଳାଖେମୁଣ୍ଡି ଯୁବ ରାଣୀ କଲ୍ୟାଣୀ ଗଜପତିଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସାମିଲ ହୋଇଥିଲେ । ଏହି କାମରେ ସାମିଲ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିବା ସହ ମନ୍ଦିର ନିର୍ମାଣ କାମ ସମସ୍ତଙ୍କ ସହଯୋଗରେ ଜାରି ରହିଛି ଏବଂ ଅତିଶୀଘ୍ର ଏହା ସରିବ ବୋଲି ଜିଲ୍ଲାପାଳ ଲିଙ୍ଗରାଜପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Exit mobile version