ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ୟ୍ୟାଳୟ, ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଅନୁଷ୍ଠିତ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ । ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜଓ୍ୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ ।

ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଖୋର୍ଦ୍ଧା /ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ ପ୍ରାକୃତିକ ବିପର୍ୟ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
