କ୍ରାଇମବ୍ରାଞ୍ଚର ନୂତନ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି : ୧୯୯୬ ବ୍ୟାଚର ଆଇପିଏସ୍ – ଅରୁଣ ବୋଥ୍ରା

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ଭୁବନେଶ୍ୱର :- ଶୁକ୍ରବାର ଦିନ କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ଵ ନେଇଛନ୍ତି । ସଞ୍ଜୀବ ପଣ୍ଡା ଆଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ବଦଳିଲେ କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚର ନୂତନ ଏଡିଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରା । ନୂଆ ଦାୟିତ୍ଵ ନେବା ପରେ ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଅରୁଣ ବୋଥ୍ରା । ସମସ୍ତଙ୍କ ସହଯୋଗରେ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସାଇବର ଅପରାଧ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଆଗାମୀ ଦିନରେ ଏ ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ଅରୁଣ ବୋଥ୍ରା କହିଛନ୍ତି ।

ସେହିପରି ଗତ ବୁଧବାର ଦିନ ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ୍ ପ୍ରତୀକ ସିଂ। ଭୁବନେଶ୍ଵର ଡିସିପି ଅଫିସରେ ସମସ୍ତ ଏସପି ଏବଂ ଆଇଆଇସିଙ୍କ ସହ ସାକ୍ଷାତ କରିବା ପରେ ସେ ଦାୟିତ୍ଵ ନେଇଥିଲେ । କଟକର କାର‌୍ୟ୍ୟ ଅଭିଜ୍ଞତା ଏଠାରେ କାମରେ ଆସିବ ବୋଲି ସେ କହିଥିଲେ । ଗତ ଏପ୍ରିଲ ୨୯ ତାରିଖରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଥିଲା । କଟକ-ଭୁବନେଶ୍ୱର ଡିସିପି ବଦଳିବା ସହ ଅନ୍ୟ ବିଭାଗରେ ମଧ୍ୟ ଅଦଳ ବଦଳ ହୋଇଥିଲା । କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତ କରାଯାଇଥିଲା । ଏହା ସହ କଟକ ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିଲା । ଉମାଶଙ୍କର ଦାସଙ୍କୁ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା । ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ମିଳିଥିଲା । ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ଶ୍ରବଣ ବିବେକ ଏମଙ୍କୁ ବ୍ରହ୍ମପୁର ଏସପି, ଅଭିଳାଷ ଜିଙ୍କୁ କଳାହାଣ୍ଡି ଏସପି, ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି, ଅଲେଖ ପହୀଙ୍କୁ ନୟାଗଡ଼ ଏସପି ଏବଂ ଏସ୍ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ମିଳିଥିଲା । ସେହିପରି ପରମାର ସ୍ମିତ ପାରଷୋତ୍ତମଦାସଙ୍କୁ ବରଗଡ଼ ଏସପି ଏବଂ ରାହୁଲ ଜୈନଙ୍କୁ ଝାରସୁଗୁଡା ଏସପି ଭାବେ ନିଯୁକ୍ତି ଦିଆଯାଇଥିଲା ।

Exit mobile version