ଆଇଟିଆଇ ଏବଂ ପଲିଟେକନିକ ହେଉଛି ଦକ୍ଷତା ବିକାଶର ମୂଳଦୁଆ : ଶ୍ରୀ ବାଗ୍‌ଚୀ

କେନ୍ଦ୍ରୀୟ ଆଇଏସ୍‌ଡିଏସ୍‌ କ୍ୟାଡରର ୪୦ ଜଣିଆ ଶିକ୍ଷାନବୀଶ ଅଧିକାରୀ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କୁ ଭେଟିଲେ

ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ ଭୁବନେଶ୍ୱର :- କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବା (ଆଇଏସ୍‌ଡିଏସ୍‌)ର ଚାଳିଶ ଜଣିଆ ଶିକ୍ଷାନବୀଶ ଅଧିକାରୀ ଓଡିଶା ଗସ୍ତରେ ଆସି ରାଜୀବ ଭବନଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ବାଗ୍‌ଚୀ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ସେମାନେ ନିଜର ପ୍ରତିଭା ଏବଂ ନୂତନ ଚିନ୍ତାଧାରା ମାଧ୍ୟମରେ ସ୍କିଲ ଇକୋ ସିଷ୍ଟମକୁ ଆହୁରି ସୁଦୃଢ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ଆଇଟିଆଇ ଏବଂ ପଲିଟେକନିକମାନଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟତା ଦେଉଛନ୍ତି ।

କାରଣ ଦକ୍ଷତା ବିକାଶର ମୂଳଦୁଆ ହେଉଛି ଆଇଟିଆଇ ଏବଂ ପଲିଟେକନିକ । ଦକ୍ଷତା ବିକାଶରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ତୃଣମୂଳ ସ୍ତରରେ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ସ୍ତରରେ ସ୍କିଲ ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ୫-ଟିି’ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ‘ମୋ ସ୍କୁଲ ଅଭିଯାନ’ରେ ରାଜ୍ୟର ପାଖାପାଖି ୫୬,୦୦୦ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ବାଗ୍‌ଚୀ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଯେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ତାଲିମ ନିର୍ଦ୍ଦେଶାଳୟ ପାଇଁ ଏହି ସେବା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯାଇଛି ଏବଂ ଏହା ଗ୍ରୁପ୍‌ ଏ’ ସେବା ଅଟେ । ସଂଘ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷା ମାଧ୍ୟମରେ ଆଇଏସ୍‌ଡିଏସ୍‌ କ୍ୟାଡରର ଅଧିକାରୀଙ୍କୁ ଚୟନ କରାଯାଇଥାଏ ଏହି ଆଇଏସ୍‌ଡିଏସ୍‌ ଅଧିକାରୀମାନେ ଦେଶର ସ୍କିଲ ଇକୋ ସିଷ୍ଟମକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Exit mobile version