ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ଭୁବନେଶ୍ୱର :- ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର । ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଂଜୀକୃତ ହୋଇ କାର୍ଯ୍ୟ କରୁଥିବା ପ୍ରାଥମିକ ବୁଣାକାର ସମିତିମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୬ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି ।

୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି ‘ବୟନିକା’ନାମରେ ସୁଖ୍ୟାତି ଅର୍ଜନ କରିଛି । ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ‘ବୟନ ଭବନ’ ପ୍ରାଙ୍ଗଣରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ବୟନିକାର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମେତ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଉଦ୍ଘାଟନ କରିଛନ୍ତି । ଉପରୋକ୍ତ ସମାରୋହ ବ୍ୟତୀତ ବୟନିକାର ସମସ୍ତ ବିକ୍ରୟ ଶାଖାରେ ଏହି ସମାରୋହକୁ ପାଳନ କରାଯାଇଛି, ଯାହାକୁ କି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ତହସିଲଦାରମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ।
