ଓଡ଼ିଶା ତାଜା ନ୍ୟୁଜ୍ /୦୩ ମଇ ମଙ୍ଗଳବାର / ବାଲିଗୁଡା :- ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ଏବେ ଛଟପଟ । ଘରେ ହେଉ ବା ବାହାରେ ସବୁଠି ଗରମରୁ ଟିକେ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି । ଏମିତିକି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ସେପଟେ ଗାଁ ଠୁ ସହର ସବୁଠି ଦେଖାଗଲାଣି ଜଳକଷ୍ଟ । ଜଳାଶୟ ଗୁଡିକରୁ ପାଣି ଶୁଖିଗଲାଣି । ସେପଟେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ସରକାର ରାଜ୍ୟର ସବୁ ଅଞ୍ଚଳର ଲୋକେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଥିବା କହୁଛନ୍ତି । ହେଲେ ଆଜି ବି ଏମିତି ଅନେକ ଅଞ୍ଚଳ ରହିଛି ଘରକୁ ଘର ତ ଦୂରର କଥା ଲୋକେ ଟୋପେ ପାଣିପାଇଁ ମାଇଲ୍ ମାଇଲ୍ ଦୂର ଯିବା ସହ ନଦୀ, ନାଳ,ଚୁଆଁ ଆଦି ସ୍ଥାନରୁ ଦୂଷିତ ଜଳ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।

ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତରେ। ତିଲୋରୀ ଗ୍ରାମପଞ୍ଚାୟତର ୧୦ନମ୍ବର ୱାର୍ଡରେ ରହିଛି ଅରାକାମ୍ବା ଗ୍ରାମ । ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୭୦ରୁ ଉର୍ଦ୍ଧ୍ବ ପରିବାରର ପ୍ରାୟ ୩ଶହ ରୁ ଉର୍ଦ୍ଧ୍ବ ଲୋକେ ବସବାସ ରହୁଛନ୍ତି । ତେବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଏହି ଅରାକାମ୍ବା ଗ୍ରାମବାସୀ l ବର୍ଷ ବର୍ଷ ଧରି ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାବତ୍ କୌଣଶି ସମାଧାନ ହୋଇ ପାରିନାହିଁ । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି । ଯାହା ଫଳରେ ବାଧ୍ୟ ହୋଇ ଏହି ଗ୍ରାମବାସୀମାନେ ଗାଁ ନିକଟସ୍ଥ ଗୁମାଡ଼ି ନଦୀ,ନାଳ ଓ ଚୁଆଁ ର ଦୂଷିତ ଜଳ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।

