ଓଡ଼ିଶା ତାଜା ନ୍ୟୁଜ୍/୦୧ ମଇ ରବିବାର/ଭୁବନେଶ୍ୱର :- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଗୀତଗୋବିନ୍ଦର ରଚୟିତା ଭକ୍ତକବି ଜୟଦେବଙ୍କ ଜୟନ୍ତୀ ଆଗାମୀ ମଇ 3 ତାରିଖ ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲିଙ୍କ ସମେତ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ , ଜୟଦେବ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ଓ ଭୁବନେଶ୍ୱର ଉପଖଣ୍ଡର ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭୁବନେଶ୍ୱରରୁ ଆରମ୍ଭ ହେଉଥିବା ସଂକୀର୍ତ୍ତନ ପଦଯାତ୍ରା ବ୍ୟତୀତ ଜୟଦେବ ଜୟନ୍ତୀ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗାମୀ ମଇ 3 ତାରିଖରେ ଜୟଦେବ ପୀଠ କେନ୍ଦୁବିଲ୍ଵ ଠାରେ ଜୟଦେବଙ୍କ ଜୟନ୍ତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l 4 ତାରିଖରେ ଏଠାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ପୀଠ ଠାରେ 3 ତାରିଖରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଖୋର୍ଦ୍ଧା ତରଫରୁ ଓଡିଶୀ ସଂଗୀତ, ଓଡିଶୀ ନୃତ୍ୟ ଆଦି ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ନେଇ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ, ତହସିଲ ପ୍ରଶାସନକୁ ଅନୁରୋଧ କରାଯାଇଛି l
