ଓଡ଼ିଶାର ରୁପ୍‌ସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ / ୩୦ ଏପ୍ରିଲ ଶନିବାର / ଭୁବନେଶ୍ୱର :– ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୁପ୍‌ସା ବିଜୟୀ ହୋଇଛନ୍ତି । ଓଡ଼ିଶାର ରୁପ୍‌ସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ରାଜଧାନୀରେ ଥିବା (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି । ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍ କରାଯିବା ପରେ ନୂଆ ଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍ ରାଉଣ୍ଡର ଆୟୋଜନ କରାଯାଇଥିଲା । ଏହି ରାଉଣ୍ଡରେ ଏହି ୫୦ ଜଣ ପ୍ରତିଯୋଗୀଙ୍କର ଇଂଟ୍ରୋଡକ୍ସନ୍ ଏବଂ ଟ୍ୟାଲେଂଟର ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ଫିନାଲେକୁ ଉତୀର୍ଣ୍ଣ ହୋଇଥିଲେ ।

ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା । ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍‌, କଷ୍ଟ୍ୟୁମ୍‌, କ୍ୟାଟ ୱାକ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍ ଫାଇଭ୍ ଫିନାଲେକୁ ଯାଇଥିଲେ । ଏହି ଟପ୍ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରିଛନ୍ତି ରୁପ୍‌ସା । ଗତ ଏପ୍ରିଲ୍ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା । ରୁପ୍‌ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି ।

୨୦୦୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହି ଟାଇଟଲ୍ ହାସଲ କରିବା ମୁମ୍ବାଇ ବ୍ୟାଙ୍କିଙ୍ଗ୍ ସେକ୍ଟରରେ କାର‌୍ୟ୍ୟରତ ରୁପ୍‌ସାଙ୍କ ସ୍ୱାମୀ ମଧ୍ୟ ବଲିଉଡ୍ ସହ ଜଡିତ ହୋଇ କାର‌୍ୟ୍ୟ କରୁଛନ୍ତି । ତାଙ୍କର ଏକ ବର୍ଷର ଝିଅଟିଏ ଅଛି । ଆଗାମୀ ଦିନରେ ସେ ଓଡ଼ିଶାରେ କାର‌୍ୟ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ସେ ବିଭିନ୍ନ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ସହ ପ୍ରମୁଖ କମ୍ପାନୀର ବିଜ୍ଞାପନରେ ସାମିଲ ହୋଇଛନ୍ତି ।

Exit mobile version