
ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ଆଦିବାସୀ ମେଳା ଓ ଜାତୀୟ ଜନଜାତି ପ୍ରଦର୍ଶନୀର ଆଜି ଥିଲା ଷଷ୍ଠ ଦିବସ । ଗତ ୨୩.୦୪.୨୦୨୨ରୁ ଅନୁଷ୍ଠିତ ହେଉଥିବା ଏହି ମେଳାରେ ଓଡ଼ିଶା ସମେତ ୧୮ଟି ରାଜ୍ୟରୁ ଆସିଥିବା ବିଭିନ୍ନ ଜନଜାତିର କାରିଗରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି । ସେମାନଙ୍କ କଳାକୃତି ମଧ୍ୟରେ ଓଡ଼ିଶାର କାରିଗରମାନଙ୍କ ଦ୍ୱାରା ପ୍ରଦର୍ଶିତ ହେଉଥିବା ସଉରା ଏବଂ ଗଣ୍ଡ ଚିତ୍ରକଳା, ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସୌଖୀନ ସାମଗ୍ରୀ, ଲାଖରୁ ପ୍ରସ୍ତୁତ ଚୁଡ଼ି, ଆଦିବାସୀ ଅଳଙ୍କାର, ଢୋକରା ସାମଗ୍ରୀ, ଜନଜାତି ବସ୍ତ୍ର, ସୂଚୀକର୍ମ, ଖଜୁରୀ ପତ୍ରର ଘର ସଜାଇବା ସାମଗ୍ରୀ, ଅଳଙ୍କାର, ସିକିମର ବେତ ଓ ବାଉଁଶ ପ୍ରସ୍ତୁତି ସୌଖୀନ ସାମଗ୍ରୀ, ଅରୁଣାଚଳ ପ୍ରଦେଶର ମାଟିପାତ୍ର ଏବଂ ତାଳପତ୍ର ପ୍ରସ୍ତୁତ ସାମଗ୍ରୀ, ଉତ୍ତରପ୍ରଦେଶର ହସ୍ତତନ୍ତ, ଉତ୍ତରାଖଣ୍ଡର ବାଉଁଶ,

କାଠ ଏବଂ ଧାତବ ସାମଗ୍ରୀ, ଝାରଖଣ୍ଡର ବାଉଁଶ ଓ ଧାତବ କଳାସାମଗ୍ରୀ, ମହାରାଷ୍ଟ୍ରର ୱାର୍ଲି ଚିତ୍ର ଏବଂ ବାଉଁଶ କଳାସାମଗ୍ରୀ, ପଶ୍ଚିମବଙ୍ଗର ଅଳଙ୍କାର, ହସ୍ତତନ୍ତ, ଘାସକାଠିରୁ ପ୍ରସ୍ତୁତ ସାମଗ୍ରୀ, ରାଜସ୍ଥାନର କାଗଜ କାରିଗରୀ, ପଥର ମୂର୍ତ୍ତି, ଚିତ୍ର, ଗୁଜୁରାଟର ନାଗ୍ଲି ଓ ବାଉଁଶ କାରିଗରୀ, ଆନ୍ଧ୍ରପ୍ରଦେଶର ମାଟିପାତ୍ର, ଟେରାକୋଟା ଏବଂ ତାଳପତ୍ରରୁ ପ୍ରସ୍ତୁତ ସାମଗ୍ରୀ, କେରଳର ବାଦ୍ୟଯନ୍ତ୍ର ଏବଂ ପାରମ୍ପରିକ ବାଉଁଶ ପ୍ରସ୍ତୁତ ସାମଗ୍ରୀ, ଛତିଶଗଡ଼ର ଢୋକ୍ରା, ବାଉଁଶ ଏବଂ ଲୌହ ସାମଗ୍ରୀ, ତାମିଲନାଡ଼ୁର ସୂଚିକର୍ମଯୁକ୍ତ ବସ୍ତ୍ର, ତେଲେଙ୍ଗାନାର ମୁଖା, ମଧ୍ୟପ୍ରଦେଶର ଗଣ୍ଡଚିତ୍ର ଏବଂ ପିତ୍ତଳ କଳାବସ୍ତୁ ଇତ୍ୟାଦି ଏଠାରେ ପ୍ରଦର୍ଶିତ କରାଯାଉଛି ।
ଏହାଛଡ଼ା ଆଦିବାସୀ ମେଳାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତିଙ୍କ ଉତ୍ପାଦିତ ଓ ସଂଗୃହୀତ କୃଷି ଓ ବନଜାତ ଦ୍ରବ୍ୟ କିଣିବା ପାଇଁ ମେଳାକୁ ଆସୁଥିବା ଦର୍ଶକଙ୍କ ଭରପୂର ଭିଡ଼ ଲାଗି ରହୁଛି । ଆଜିର ନୃତ୍ୟ ପ୍ରଭାଗରେ ପାରଳାଖେମୁଣ୍ଡିର ସଉରା ନୃତ୍ୟ, ଲାଞ୍ଜିଗଡ଼ର ଢାପ ନୃତ୍ୟ, ଚମ୍ପୁଆର ବାହା ପରବ, ମୁଣ୍ଡାଙ୍କ କରମା ନୃତ୍ୟ, ଭୂୟାଁମାନଙ୍କ ବିହା ନାଚ ଏବଂ ସଉରାମାନଙ୍କ କାନ୍ଦୁଲ ନୂଆଖିଆ ନାଚରେ ଦର୍ଶକ ବିମୋହିତ ହୋଇଥିଲେ ।
