ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / ଭୁବନେଶ୍ୱର :- ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ôଚଥିଲା । ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ ।

ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ । ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ଆସି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ୱୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ । ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ ।
