ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଜନସେବା : ସ୍ୱଦେଶପ୍ରୀତି ଓ ସୁଶାସନ ପାଇଁ ସ୍ମରଣୀୟ ରହିବେ – ବାଚସ୍ପତି ଡଃ. ପାତ୍ର

ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର / ଭୁବନେଶ୍ୱର :- ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ତାଙ୍କର ଜନସେବା, ସ୍ୱଦେଶପ୍ରୀତି ଓ ସୁଶାସନ ନିମନ୍ତେ ଚିରସ୍ମରଣୀୟ ରହିବେ । ଓଡ଼ିଶାରେ ଶିକ୍ଷା ପ୍ରସାରରେ ତାଙ୍କର ପ୍ରମୁଖ ଭୂମିକା ରହିଥିବାବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଭାବୀ ଅବଦାନକୁ ଓଡ଼ିଆ ଜାତି କୃତଜ୍ଞତାର ସହ ସ୍ୱୀକାର କରିବ ବୋଲି ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଓ ଭୁବନେଶ୍ୱରସ୍ଥିତ ପାରଳା ଗଜପତି ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ. ପାତ୍ର ପାରଳା ମହାରାଜାଙ୍କୁ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଭାବରେ ଅଭିହିତ କରି ରାଜ୍ୟରେ ଅନେକାନେକ ବିକାଶରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ତାଙ୍କ ଶାସନ କାଳରେ ନ୍ୟାୟାଳୟ, ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ପ୍ରତିଷ୍ଠା ସମେତ ଯୋଗଯୋଗ କ୍ଷେତ୍ରରେ ମଧ୍ୟ ବିଶେଷ ଅଭିବୃଦ୍ଧି ହୋଇପାରିଥିଲା ବୋଲି ବାଚସ୍ପତି ଡଃ. ପାତ୍ର ମତ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀ ପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ପାରଳା ମହାରାଜାଙ୍କୁ ବିକାଶ ଓ ସ୍ୱାଭିମାନର ପ୍ରତୀକ ଭାବରେ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ‘ଉତ୍କଳ ପ୍ରସଙ୍ଗ ‘ ଓ ‘ ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ ମହାନ୍ତି ମହାରାଜାଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋଚନା କରିଥିଲେ ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷାବିତ୍‌ ଓ ଗବେଷକ ଡ. ଗିରୀଶ ପ୍ରସାଦ ସ୍ୱାଇଁ ପାରଳା ମହାରାଜାଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ଆଲୋଚନାପୂର୍ବକ ତାଙ୍କୁ ଓଡ଼ିଶା ଇତିହାସର ଜଣେ ଦୁର୍ଲଭ ପୁରୁଷ ଭାବରେ ଚିତ୍ରଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ତାଙ୍କ ସ୍ୱାଗତ ଭାଷଣରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଦେଶଭକ୍ତ ରାଜନୀତିଜ୍ଞ ତଥା ପ୍ରଜାବତ୍ସଳ ସୁଶାସକ ଭାବେ ବର୍ଣ୍ଣନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ମହାରାଜାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱରସୁଧା ଅନୁଷ୍ଠାନର ଶିଳ୍ପୀବୃନ୍ଦ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ପାରଳା ଗଜପତି ବିକାଶ ମଞ୍ଚର ସଭାପତି ରାସବିହାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ଶିଳ୍ପୀମାନଙ୍କ ଦ୍ୱାରା ସଖୀ ନାଟ ଓ ଘୁଡ଼ୁକୀ ନାଚ ପରିବେଷଣ କରାଯାଇଥିଲା ।

Exit mobile version