ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀରେ କଳା ସାମଗ୍ରୀ ପ୍ରଦର୍ଶନ ମଣ୍ଡପ

ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ ଭୁବନେଶ୍ୱର :- ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଏପ୍ରିଲ୍ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ କେନ୍ଦ୍ର ସ୍ଥଳରେ କଳା ସାମଗ୍ରୀ ପ୍ରଦର୍ଶନ ମଣ୍ଡପ ପ୍ରତିଷ୍ଠିତ ହୋଇଛି । ଏହି ମଣ୍ଡପରେ ଓଡ଼ିଶାର ଦଶଟି ଜନଜାତି କାରିଗରଙ୍କ ଦ୍ୱାରା ବିଭିନ୍ନ କଳାସାମଗ୍ରୀ ପ୍ରସ୍ତୁତିର ପ୍ରଦର୍ଶନ ହୋଇଛି । ସୁଦୂର ମାଲକାନଗିରି ଜିଲ୍ଲାର ପ୍ରାଚୀନ ଜନଜାତି ‘ବଣ୍ଡା’ ମାନଙ୍କର ରିଙ୍ଗା ପ୍ରସ୍ତୁତି, ବରଗଡ ଜିଲ୍ଲାରୁ ଆସିଥିବା ‘କୁଲିସ୍‌’ ସଂପ୍ରଦାୟର ‘କପ୍‌ଟା’ ପ୍ରସ୍ତୁତି କୌଶଳ, କୋଟପାଡ୍‌ର ‘ମିରିଗାନ୍‌’ ସଂପ୍ରଦାୟର ବସ୍ତ୍ର ପ୍ରସ୍ତୁତ ହେଉଛି ଯାହା ଧୁରୁଆ,

ଭୋତଡ଼ା ଏବଂ ଗଣ୍ଡମାନଙ୍କର ସାଂସ୍କୃତିକ କର୍ମକର୍ମାଣୀରେ ବ୍ୟବହୃତ ହୋଇଥାଏ । ଏହି ବସ୍ତ୍ର ପ୍ରସ୍ତୁତିରେ ପ୍ରାକୃତିକ ରଙ୍ଗର ପ୍ରୟୋଗ ହୋଇଥାଏ । ଏହାଛଡ଼ା ଭୋତଡ଼ା ମାନଙ୍କର ଧାନରେ ତିଆରି ବିଭିନ୍ନ ମୂର୍ତୀ, ନିଳଗିରି ଅଂଚଳର ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ଲାଖ ନିର୍ମିତ ଚୁଡି ତଥା ପଥରର ବିଭିନ୍ନ କଳାକୃତି ପ୍ରତ୍ୟକ୍ଷ ଭାବେ ପ୍ରସ୍ତୁତ କରାଯାଇ ଦର୍ଶକଙ୍କ ମନ ଜିଣୁଛି ।

ଆଉ ମଧ୍ୟ ଏହି ପ୍ରଦର୍ଶନ ମଣ୍ଡପରେ ‘ସଉରା’ ଓ ‘ଗଣ୍ଡ’ ଚିତ୍ରଶିଳ୍ପୀ ମାନଙ୍କର ଚିତ୍ରକଳାର ପ୍ରସ୍ତୁତିକୁ ଦର୍ଶକମାନେ ଦେଖି ବେଶ୍ ଆମୋଦିତ ହେଉଛନ୍ତି । ସେହିପରି ଏହି ପ୍ରଦର୍ଶନ ମଣ୍ଡପରେ ଆନ୍ଧ୍ରପ୍ରଦେଶର ବନ୍‌ଜାରା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଟେରାକୋଟାର ବିଭିନ୍ନ ସାମଗ୍ରୀ ବେଶ୍ ଆକର୍ଷଣୀୟ ହୋଇଛି ।

ଆଜି ସଂଧ୍ୟାରେ ମୁଖ୍ୟ ମଂଚରେ କୋରାପୁଟ ଅଂଚଳର ପରଜାମାନଙ୍କର ଢ଼େମସା ନାଚ, ବାଲେଶ୍ୱର ନିଳଗିରି ଅଂଚଳର ଭୂମିଜ ମାନଙ୍କର କରମା ନାଚ, ମୟୁରଭଂଜର ପ୍ରାଚୀନ ଜନଜାତି ମାଙ୍କଡ଼ିଆ ମାନଙ୍କର ମାଗେ ପରବ ନାଚ, ସଉରା ମାନଙ୍କର କାନ୍ଦୁଲ ନୂଆ ପର୍ବ,

ବାଲିଗୁଡା ଅଂଚଳର କୁଟିଆ କନ୍ଧମାନଙ୍କର ଚଇତି ପରବ ନାଚ ତଥା ବାରିପଦାର ଲୋଧାମାନଙ୍କ ଛଉ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପ୍ରତ୍ୟହ ଦିବା ୩.୩୦ ଠାରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

Exit mobile version