
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ନୟାଗଡ଼ :- ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମ ର ମେରୁ ଉତ୍ସବ ତଥା ଦଣ୍ଡ ଯାତ୍ରାର ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଭଳି ଅଭାବନୀୟ ଘଟଣା ଘଟି ଜଣେ ମୃତ ଓ ୮ ଜଣ ଆହତ ହୋଇଛନ୍ତି । ଶୋଭାଯାତ୍ରାର ଶେଷ ସମୟକୁ କୌଣସି ଏକ କାରଣ ନେଇ ଉଭୟ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରିସ୍ଥିତି ଉପୁଜିଥିଲା । ଏହି ସଂଘର୍ଷରେ ଥାନା ଅଧିକାରୀଙ୍କ ସମେତ ୮ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ବେଳେ ଉତ୍ୟକ୍ତ ଲୋକ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣା ପଡ଼ିଛି ।

ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏହି ଦୁଇ ଗ୍ରାମର ଦଣ୍ଡ ଶୋଭାଯାତ୍ରା ବିପର୍ଯ୍ୟସ୍ତ ପୁଲିସ୍ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶତାଧିକ ଦଣ୍ଡ ଠାକୁର, ହଜାର ହଜାର ଦଣ୍ଡୁଆ, ଡିଜେ ଗାଡ଼ି, ବ୍ୟାଣ୍ଡ ପାର୍ଟି ଏବଂ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ସିନ୍ଦୁରିଆଠାରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା ବଚସାରୁ ଲଙ୍କାକାଣ୍ଡ ଘଟିଥିଲା ।
