ରଣପୁର ରେ ଦୀର୍ଘ ୧୭ ଦିନ ଧରି ଚାଲିଥିବା – ଦଣ୍ଡଯାତ୍ରା ସମ୍ପର୍ଣ୍ଣ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଏପ୍ରିଲ ଶନିବାର ) ରଣପୁର :- ରଣପୁର ରେ ଦୀର୍ଘ ୧୭ ଦିନ ଧରି ଚାଲିଥିବା ଦଣ୍ଡଯାତ୍ରା  ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ଅବସରରେ ଭଗତାମାନେ ଉଦୁଉଦିଆ ଖରାରେ ଏବଂ ଡହତହ ନିଆଁରେ ଚାଲିଥିଲେ । ତେବେ ଦଣ୍ଡ ପାଟ ବେତର ନିଷ୍ଠା ପରାକାଷ୍ଠା ନେଇ ଝାମୁଚଲା ଅନୁଷ୍ଠିତ ହୋଇଯାଇଛି । ସେହିପରି  ହିନ୍ଦୁ ନବ ବର୍ଷର ମହାବିଷୁବ ସଂକ୍ରାନ୍ତି ଅବସରରେ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ରଣପୁର ଚଣ୍ଡେଶ୍ଵର ଦେବ, ସ୍ବପ୍ନଶ୍ଵର ଦେବ, ଲତାର ବାଲୁଙ୍କେଶ୍ଵର ଦେବ, ସାନଗଡ଼ ବାଲୁଙ୍କେଶ୍ବର ଦେବ,

ପୁରୁଣାବସନ୍ତ ବାଲୁଙ୍କେଶ୍ଵର ଦେବ, ସାରଙ୍ଗଧରପୁର ନୀଳକଣ୍ଠେଶ୍ଵର ଦେବ, କମଳେଶ୍ଵର ଦେବ ଆଦି ବହୁ ଦଣ୍ଡ ପାଟବେତ କୋଠିରେ ଝାମୁଚଲା ଅନୁଷ୍ଠିତ ହୋଇଯାଇଛି । ପାଟ ଭକ୍ତା, ପାଟ ଦଣ୍ଡୁଆ, ଭଜ୍ଜା ଏବଂ ମେରୁ ଉପବାସୀ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠା ପରାକାଷ୍ଠାର ପ୍ରଦର୍ଶନ ପାଇଁ ଅଗ୍ନିରେ ଚାଲିଥିଲେ ।

ପ୍ରତ୍ୟେକ କୋଠିରେ ସକାଳୁ ସକାଳୁ କେଉଁଠି ୭ ହାତ ଚାଖଣ୍ଡେ ତ ଆଉ କେଉଁଠି ଅଧିକ ପଥ ଅଗ୍ନିରେ ଚାଲିବାକୁ ପଡ଼ିଥିଲା । ଭକ୍ତମାନେ ପ୍ରଥମେ ଗଙ୍ଗାକୁଣ୍ଡରେ ଦଣ୍ଡାୟମାନ ହେଲା ପରେ ନିଷ୍ଠାର ସହ ଠାକୁରଙ୍କୁ ସ୍ମରଣ କରି ଅଗ୍ନିକୁଣ୍ଡରେ ଚାଲିଥିବା ଦେଖିବାକୁ ମିଳିଥିଲା ।

ପରେ କ୍ଷୀର କୁଣ୍ଡ ଅର୍ଥାତ ଯମୁନା କୁଣ୍ଡରେ ଦଣ୍ଡାୟମାନ ହୋଇ ଠାକୁରଙ୍କ କରୁଣା ଲାଭ କରିଥାନ୍ତି । ଏହି ଝାମୁଚଲା ଦେଖିବା ପାଇଁ ପ୍ରତ୍ୟେକ କୋଠିରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଝାମୁଚଲା ପରେ ବଡ଼କୋଠି, ସାନକୋଠି, ନନ୍ଦପୁର କୋଠି ଆଦିରେ ପାଟ ଫୋଡ଼ା ହୋଇ ପାଟଖାଇ ଠାକୁରାଣୀ ଗାଁ ପରିକ୍ରମା କରିଥିଲେ।

ସେହିପରି ଚାନ୍ଦପୁର, ଗୋପାଳପୁର, ସୁନାଖଳା, ଦର୍ପନାରାୟଣପୁର, ଡମସାହି ଆଦି ସମଗ୍ର ବ୍ଳକ୍‌ର ବିଭିନ୍ନ ଅଞ୍ଚଳରେ ଥିବା ଶୈବ ପୀଠରେ ଝାମୁଚଲା ଯାତ୍ରା ଆନନ୍ଦ ଉଲ୍ଲାସର ସହ ସଂପନ୍ନ ହୋଇଯାଇଛି ।

Exit mobile version