ଷୋଡ଼ଶ ଜାତୀୟ ତୋଷାଳି ମେଳାରେ ହସ୍ତତନ୍ତ : ୨୫ ଜଣ କୃତବିଦ୍ୟ ବୁଣାକାରଙ୍କ ଯୋଗଦାନରେ ମେଳାର ଗରିମା ବଢ଼ିଛି

ଓଡ଼ିଶା ତାଜା ନ୍ୟୁଜ୍ ( ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :-  ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ । ଯୁଗ ଯୁଗ ଧରି ଏହାର ହସ୍ତତନ୍ତ ସାମଗ୍ରୀ ବିଶେଷତଃ ଅତି କଷ୍ଟସାଧ୍ୟ ବୁଣେଇ ‘ଇକତ୍‌’ ଡିଜାଇନ୍‌ ନିମନ୍ତେ ଓଡ଼ିଶା ବିଶ୍ୱପ୍ରସିଦ୍ଧ । ସମ୍ବଲପୁରୀ ଇକତ, ସୋନପୁର ଓ ବୌଦ୍ଧର ‘ବୋମକେଇ’, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ, କଳାହାଣ୍ଡିର ହବାସ୍‌ପୁରୀ, କୋରାପୁଟର ପ୍ରାକୃତିକ ରଙ୍ଗର କୋଟପାଡ଼, ଗୋପାଳପୁର, ଫକୀର ପୁର ଓ ମାଙ୍କିଡ଼ିଆ ଆଦି ସ୍ଥାନର ଟସର ଆମ ରାଜ୍ୟର କାରିଗରମାନଙ୍କର କଳାକୌଶଳ ଓ ଜୀବନ ଯାପନ ଶୈଳୀକୁ ପରିପ୍ରକାଶ କରିଥାଏ । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି । ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି । ଦେଶର ଛଅଜଣ ସନ୍ଥକବି ପୁରସ୍କାର ବିଜେତା, ୧୫ ଜଣ ଜାତୀୟ ପୁରସ୍କାର ଓ ତିନିଜଣ ରାଜ୍ୟ ପୁରସ୍କୃତ ବୁଣାକାର ମେଳାରେ ଅଂଶଗ୍ରହଣ କରିଛନ୍ତି ।

ସନ୍ଥକବି ପୁରସ୍କାର ପାଇଥିବା ବୁଣାକାରମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ୪ ଜଣ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଶାରୁ ପୁରସ୍କୃତ ବୁଣାକାରମାନଙ୍କ ‘ଇକତ୍‌’ ଡିଜାଇନ୍‌ର ହସ୍ତତନ୍ତ ଏଠାରେ ସ୍ଥାନିତ ହୋଇଥିବା ବେଳେ ଅନ୍ୟ ରାଜ୍ୟର ପୁରସ୍କୃତ ବୁଣାକାରମାନଙ୍କର ଉଲ୍‌, ସିଲ୍‌କ ଓ ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଇତ୍ୟାଦି ମେଳାରେ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି । ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ଓ ଅନ୍ୟ ରାଜ୍ୟ ଜାମ୍ମୁ ଓ କାଶ୍ମୀର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶର ୯ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ତୋଷାଳି ମେଳାରେ ସେମାନଙ୍କର ଉଲ୍‌, ସିଲ୍‌କ, ସୂତାଶାଢ଼ି, ପୋଷାକ, ଷ୍ଟୋଲ, ସାଲ୍‌ ଆଦି ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଓଡ଼ିଶାର ଜାତୀୟ ପୁରସ୍କାରପ୍ରାପ୍ତ ୬ ଜଣ ବୁଣାକାରମାନଙ୍କ ଷ୍ଟଲ୍‌ରେ ପ୍ରାକୃତିକ ରଙ୍ଗ ଓ ଫେବ୍ରିକ୍‌ ହସ୍ତତନ୍ତ ଉପଲବ୍ଧ ହେଉଛି । ସେହିପରି ଓଡ଼ିଶାର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ଷ୍ଟଲ୍‌ରେ ‘ଇକତ୍‌’ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି ।

ଛତିଶଗଡ଼ ଓ ରାଜସ୍ଥାନର ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାରମାନଙ୍କ ଷ୍ଟଲରେ ସୂତା ଶାଢ଼ି, ପୋଷାକ, ଷ୍ଟୋଲ ଆଦି ପ୍ରଦର୍ଶନ ଓ ବିକ୍ରୟ ହେଉଛି । କୃତୀ ବୁଣାକାର ଓ ସେମାନଙ୍କ ଉତ୍ପାଦ ଷୋଡ଼ଶ ତୋଷାଳି ମେଳାର ଗରିମାକୁ ବଢ଼ାଇବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି । ସ୍ଥାନୀୟ ଜନତା ମଇଦାନଠାରେ ଚାଲିଥିବା ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଦିନକୁ ଦିନ ଭୀଡ଼ ଜମିବାରେ ଲାଗିଛି । ୩୦ଟି ଖାଦ୍ୟ ଷ୍ଟଲ ଲୋକଙ୍କୁ ସୁସ୍ୱାଦୁ ଖାଦ୍ୟ ଆଡ଼କୁ ଟାଣି ନେଉଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ସହିତ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିବା ନିମନ୍ତେ ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ଦିବା ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି ।

Exit mobile version