ଚଳିତବର୍ଷର ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପାଇବେ ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ୍ (୭ ଏପ୍ରିଲ ଗୁରୁବାର ) ଭୁବନେଶ୍ୱର :- ଓଡ଼ିଶାର ଅନନ୍ୟ ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ସମାଜସେବା, ଭାଷା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭା ମାନଙ୍କ ନାମ ଆଜି, ସତ୍ୟନଗର ହୋଟେଲ ପାର୍କ ପ୍ରିମିୟମଠାରେ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ନିମ୍ନମତେ ଘୋଷଣା କରିଛନ୍ତି ।

ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ସମାଜସେବା କ୍ଷେତ୍ରରେ ଛାତ୍ର ଜୀବନରୁ ନିଜକୁ ସମର୍ପିତ କରିଥିବା, ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା,

କଟକ ଶାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ୱାଇଁ ଏବଂ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଟାଇମ୍ସ ଅଫ୍ ଇଣ୍ଡିଆର ପୂର୍ବତନ ସହ ସମ୍ପାଦକ ତଥା ପ୍ରଭାବଶାଳୀ ବକ୍ତା ରୋଟାରିୟାନ ଅଶୋକ ପଣ୍ଡାଙ୍କୁ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ବାର୍ଷିକ ଶ୍ରାଦ୍ଧଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ।

ଆଜିର ବୈଠକରେ କମିଟିର କୋଷାଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର, କଂଗ୍ରେସ ନେତା ସନତ ଦାସ, ଶାନ୍ତନୁ କୁମାର ସାହୁ, ଜ୍ଞାନଦେବ ବେଉରା, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ବାସ୍ତୁବିତ ଡଃ ମନୋଜ ଲେଙ୍କା, ଇଂ ବିବେକାନନ୍ଦ ପାତ୍ର, କଂଗ୍ରେସ ନେତା ମନୋରଞ୍ଜନ ଦାସ, ଆଲୋକ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ସମାଜସେବୀ ବରୁଣରାଜ, ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ମିତ୍ରା ରାୟ, ଜ୍ୟୋତିଷ କୁମାର ସାହୁ, ମହମ୍ମଦ ସାହାଦୁଲ୍ଲା, ସୁଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । 

Exit mobile version