ଓଡ଼ିଶା ତାଜା ନ୍ୟୁଜ୍ (୪,ଏପ୍ରିଲ ସୋମବାର ) ଭୁବନେଶ୍ୱର :- ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଓଡ଼ିଶାରେ ବହୁ ଆନ୍ଦୋଳନ ଓ ବିଦ୍ରୋହ ସଂଘଟିତ ହୋଇଛି । ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା । ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଶହୀଦ ରଘୁ-ଦିବାକର ଚିରସ୍ମରଣୀୟ ହୋଇରହିବେ ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଅତିଥି ଓ ବକ୍ତାମାନେ ଉଲ୍ଲେଖ କରିଛନ୍ତି । ଏହି ରାଜ୍ୟସ୍ତରୀୟ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଶହୀଦ ରଘୁ-ଦିବାକରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ ଯେ ଅତ୍ୟାଚାରୀ ବି୍ରଟିଶ ଶାସନ କବଳରୁ ରଣପୁରବାସୀଙ୍କୁ ମୁକ୍ତ କରାଇବା ପାଇଁ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଓ ଆତ୍ମୋତ୍ସର୍ଗ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ । ଅତ୍ୟାଚାରୀ ଶାସନରୁ ମୁକ୍ତି ତଥା ସ୍ୱାଧୀନତା ଆଶାରେ ରଣପୁରରେ ପ୍ରଜା ଆନ୍ଦୋଳନ ହୋଇଥିଲା । ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଏହି ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ । ଦୁଇ ଯୁବ ବିଦ୍ରୋହୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।
ମାନ୍ୟବର ବିଧାୟକ ରଣପୁର, ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଶହୀଦ ରଘୁ-ଦିବାକରଙ୍କୁ ରଣପୁର ଅଞ୍ଚଳର ଗର୍ବ ଓ ଗୌରବ ବୋଲି ଅଭିହିତ କରି ତାଙ୍କ ଦେଶପ୍ରେମର ତୁଳନା ନାହିଁ ବୋଲି ମନ୍ତବ୍ୟ ରଖିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶହୀଦ ରଘୁ- ଦିବାକରଙ୍କ ଆନ୍ଦୋଳନ ଯୋଗୁଁ ଅବହେଳିତ ଜନସାଧାରଣଙ୍କ ମନୋବଳ ତଥା ସଂଗ୍ରାମ ପାଇଁ ଉତ୍ସାହ ବୃଦ୍ଧି ପାଇଥିଲା ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସତ୍ୟବାଦୀ ବଳିଆର ସିଂ ଶହୀଦ ରଘୁ-ଦିବାକରଙ୍କ ସାହସ ତଥା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି କରିବାର ଦକ୍ଷତା ଉପରେ ଆଲୋକପାତ କରିଥିଲେ ।