ସରପଞ୍ଚ ଗାୟତ୍ରୀ ବେହେରା ଙ୍କ ପଶୁ ପ୍ରେମ କୁ ପ୍ରଶଂସା

ଓଡ଼ିଶା ତାଜା ନ୍ୟୁଜ୍ (୩ ଏପ୍ରିଲ ରବିବାର ) ସାଂପ୍ରତିକ ପରିସ୍ଥିତିରେ ଆମେ ମଣିଷମାନେ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ବେଳେ, ଆମ ଭିତରେ ମଣିଷପଣିଆ କିନ୍ତୁ ହଜିଯାଉଛି । ମଣିଷ ମଣିଷ ଭିତରେ ହିଂସା ,ପରଶ୍ରୀକାତରତା ବଢ଼ି ଚାଲିଥିବା ବେଳେ ମାନବିକତାର ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ସିଙ୍ଗାରପଲ୍ଲୀ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ପାଖରେ । ସ୍ଥାନୀୟ ସେନ୍ତେରୀ ଗ୍ରାମରେ କେହିଜଣେ ଦୁର୍ବୁର୍ତ୍ତ ଗୋଟିଏ ବୁଲା ଷଣ୍ଢକୁ ଆକ୍ରମଣ କରି ମାରଣାସ୍ତ୍ର ସାହାଯ୍ୟରେ ଷଣ୍ଢଟିର ଗୋଟିଏ ଗୋଡ଼କୁ ହାଣି ଦେଇଥିଲା । ଆକ୍ରମଣରେ ଷଣ୍ଢଟିର ଗୋଡ଼ଟି ପ୍ରାୟତଃ ଛିଡି ଯାଇଥିଲା ।

ଖବରପାଇ ସିଙ୍ଗାରପଲ୍ଲୀ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ଗାୟତ୍ରୀ ବେହେରା ଏବଂ ତାଙ୍କର ସ୍ଵାମୀ ସମାଜସେବୀ ବିଭୂତି ଭୂଷଣ ବେହେରା ମିଶି କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ଆହତ ଷଣ୍ଢଟିକୁ ଉଦ୍ଧାର କରି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟକୁ ନେଇଯାଇଥିଲେ । ସେଠାରେ ଅସ୍ଥିଶଲ୍ୟ ବିଭାଗରେ ଉପଯୁକ୍ତ ଚିକିତ୍ସା କରିବା ସହ ଭୁବନେଶ୍ବରର ଏକ ଗୋଶାଳାରେ ଷଣ୍ଢଟିକୁ ରଖି ତାର ଉପଯୁକ୍ତ ଯତ୍ନ ନେଉଛନ୍ତି । ଷଣ୍ଢ ଚିକିତ୍ସା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ସହଯୋଗ କରିଥିଲେ ।

ଖବର ଅନୁସାରେ ଧୀରେ ଧୀରେ ଷଣ୍ଢଟି ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରପଞ୍ଚ ତାର ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରପଞ୍ଚ ଦାୟିତ୍ୱ ନେବାପରେ ଶ୍ରୀମତି ବେହେରା ଏବଂ ତାଙ୍କର ସମାଜସେବୀ ସ୍ଵାମୀ ଯେଉଁ ମହନୀୟତା ଦେଖାଇଛନ୍ତି , ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଷଣ୍ଢ ସୁସ୍ଥ ହୋଇ ଗ୍ରାମକୁ ଫେରିଲେ ସରପଞ୍ଚଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦିଆଯିବ ବୋଲି ଗ୍ରାମବାସୀ ଜଣାଇଛନ୍ତି ।

Exit mobile version