ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ୨୦୩୬ରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବରେ ସାରା ଦେଶକୁ ମାର୍ଗ ଦର୍ଶନ କରିବ : ମୁଖ୍ୟମନ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ (୧ ଏପ୍ରିଲ ଶୁକ୍ରବାର ) ଭୁବନେଶ୍ୱର :- ଓଡିଶା ଆମର ମା’। ଆମ ଓଡିଆ ଜାତି ହେଉଛି ଗୋଟିଏ ବିରାଟ ପରିବାର । ନିଜ ପରିବାରର ଉନ୍ନତି ପରି, ଓଡିଆ ଜାତିର ଉନ୍ନତି ପାଇଁ ସମସ୍ତେ ମିଶି ଉଦ୍ୟମ କଲେ ନୂଆ ଓଡିଶାର ସ୍ୱପ୍ନ ପୂରଣ ହୋଇପାରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍‌ଘାଟନ କରି ଏହା କହିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସେ ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ପରି ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ୱତନ୍ତ୍ର ଓଡିଶାର ସ୍ୱପ୍ନ ସଫଳ ହୋଇପାରିଥିଲା ।

ଓଡିଆ ଭାଷା, ସାହିତ୍ୟ, ନୃତ୍ୟ, ସଂଗୀତ ଓ କଳାକୁ ଯେଉଁମାନେ ସମୃଦ୍ଧ କରିଯାଇଛନ୍ତି ସେମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି ବୋଲି ସେ କହିଥିଲେ । ଆଉ ୧୪ ବର୍ଷ ପରେ ଓଡିଶା ଶହେ ବର୍ଷ ପୂରଣ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଓଡିଶା ଏବେ ଏକ ମନ, ଏକ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛି । ଆଜି ସାରା ଓଡିଶାର ସ୍ୱର ଦୃଢ ହୋଇଛି । ୨୦୩୬ରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବରେ ସାରା ଦେଶକୁ ମାର୍ଗ ଦର୍ଶନ କରିବ ବୋଲି ସେ ଦୃଢ ବିଶ୍ୱାସ ପ୍ରକଟ କରିଥିଲେ । ସେ କହିଥିଲେ ଯେ ନୂଆ ଶତାବ୍ଦୀରେ ଓଡିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏ ଯୁଗ ବିକାଶ ଓ କଲ୍ୟାଣର ଯୁଗ । ଆମର ୫-ଟି ଗଭର୍ନାନ୍‌ସ ମଡେଲ ସାରା ଦେଶରେ ଆଦର୍ଶ ସୃଷ୍ଟି କରିଛି ବୋଲି ସେ ମତ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୋଭିଡ ମହାମାରୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷା ଦେବାରେ ଓଡିଶା ଆଜି ଦେଶ ପାଇଁ ମଡେଲ ହୋଇଛି ବୋଲି ସେ କହିଥିଲେ । ସମସ୍ତଙ୍କ ପାଇଁ ଘର ଓ ପାଇପ ପାଣି ଯୋଗାଇ ଦେବା କାମ ଜୋରଦାର ଚାଲିଛି ।

କ୍ରୀଡାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡିଶା ସାରା ବିଶ୍ୱରେ ସୁନାମ ପାଇପାରିଛି ା ଶିଳ୍ପ କ୍ଷେତ୍ରରେ ଓଡିଶା ଏବେ ଏକ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ । ଓଡିଶାର ସାଂସ୍କୃତିକ ବିବିଧତାର ପ୍ରଶଂସା କରି ସେ କହିଥିଲେ ଯେ ଏହା ଆମର ସବୁଠାରୁ ବଡ ପରିଚୟ । ଗାନ୍ଧୀଜୀଙ୍କ ପରଶମଣି ଆମ ଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁଠାରୁ ଗରିବ ଲୋକକୁ ସେବା ଯୋଗାଇଦେବା ଆମର ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବାରେ ବିଜୁ ସ୍‌ାସ୍ଥ୍ୟ କଲ୍ୟାଣ କାର୍ଡ ସାରା ଦେଶ ପାଇଁ ମଡେଲ ହୋଇଛି । ମା’ମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ମଧ୍ୟ ଆମେ ସଫଳ ହୋଇଛୁ ା ଆଜି ସାରା ଦେଶରେ ମା’ମାନଙ୍କୁ ରାଜନୈତିକ ଅଧିକାର ଦେବା ପାଇଁ ସ୍ୱର ଉଠୁଥିବା ବେଳେ, ଓଡିଶାରେ ଏହା ଆମେ କରିକି ଦେଖାଇଛୁ । ଗରିବୀ କମିବା ସହିତ ବେକାରୀ କମ କରିବାରେ ଓଡିଶା ଆଜି ସାରା ଦେଶରେ ସବୁଠାରୁ ଭଲ କାମ କରିଛି ବୋଲି ସେ ପ୍ରକାଶ କରିଥିଲେ ।

ଯୁବ ସମାଜ ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଓଡିଶାର ପୁଅ, ଝିଅମାନଙ୍କ ମଧ୍ୟରେ ଭରସା ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । ନିଜର, ନିଜ ପରିବାରର ଓ ଓଡିଶା ମା’ର ଗୌରବ ବୃଦ୍ଧି କରିବା ପାଇଁ ସେମାନେ ଉଦ୍ୟମ ଜାରି ରଖିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ବିଜ୍ଞାନ ଓ ପ୍ରଯୁକ୍ତି, ଶିଳ୍ପ ସବୁ କ୍ଷେତ୍ରରେ ଓଡିଆ ପୁଅଝିଅମାନେ ସୁନାମ କରୁଛନ୍ତି । ଆମର ଯୁବ ସମାଜ ହେଉଛି ଆମର ସମ୍ପଦ । ସେମାନଙ୍କ ସହଯୋଗରେ, ଓଡିଶା ଆହୁରି ଆଗକୁ ଯିବ, ଏ ବିଶ୍ୱାସ ମୋର ରହିଛି ବୋଲି କହିଥିଲେ । ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସଭାପତିତ୍ୱ କରି କହିଲେ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତିକୁ ଦୀର୍ଘକାଳ ଧରି ଆନ୍ଦୋଳନ କରିବାକୁ ପଡ଼ିଛି । ଅଗଣିତ ଓଡ଼ିଆଙ୍କ ନିରବଚ୍ଛିନ୍ନ ସଂଗ୍ରାମ, ଓଡ଼ିଆ ଜନନୀଙ୍କ ପ୍ରଥିତଯଶା ମହାମନୀଷୀମାନଙ୍କ ନିଃସ୍ୱାର୍ଥପର ନେତୃତ୍ୱ, ଚରମ ତ୍ୟାଗ ଓ ସାଧନାର ଫଳସ୍ୱରୂପ ୧୯୩୬ ଅପ୍ରେଲ ୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।

ସମଗ୍ର ଦେଶରେ ଭାଷାଭିତ୍ତିରେ ପ୍ରଥମ ପ୍ରଦେଶ ରୂପେ ଜନ୍ମ ହୋଇଥିବା ଆମ ରାଜ୍ୟର ମହାର୍ଘ ଓ ପବିତ୍ର ଏହି ଜନ୍ମଦିନ ଅବସରରେ ସେହି ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଆମର ପରମ କର୍ତ୍ତବ୍ୟ । ସମ୍ମାନିତ ଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉତ୍ସବରେ ଯୋଗଦେଇ କହିଲେ ଯେ ଏକଦା କଳା, ସଂସ୍କୃତି, ଭାଷା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ ତଥା ସାମରିକ ପରମ୍ପରା ପାଇଁ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ପରେ ଏହାକୁ ଖଣ୍ଡବିଖଣ୍ଡିତ କରି ବାଣ୍ଟିଦେବାକୁ ହୀନ ଉଦ୍ୟମ କରାଯାଇଥିଲା । ତେବେ ଏ ଜାତିର ବହୁ ବରପୁତ୍ରଙ୍କ ଦ୍ୱାରା ଏକ ଦୁର୍ବାର ଆନ୍ଦୋଳନ ସଂଗଠିତ ହୋଇ ମାତୃଭୂମି ଓ ମାତୃଭାଷାର ସୁରକ୍ଷା କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଓଡ଼ିଆ ଜାତିର ଗୌରବମୟ ଗାଥା ଅବିସ୍ମରଣୀୟ । ଓଡ଼ିଶା ପ୍ରଦେଶ ତା’ର ୮୭ତମ ପୂର୍ତ୍ତି ଅବସରରେ ସମୃଦ୍ଧି ଓ ବିକାଶର ପଥରେ ଦ୍ରୁତ ଧାବମାନ ହୋଇପାରିଛି ।

ସମ୍ମାନିତ ଅତିଥି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଉତ୍କଳଗୌରବ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ଆଦି ଅନେକ ବରପୁତ୍ରଙ୍କ ଅତୁଳନୀୟ ଅବଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି ଓଡ଼ିଶାର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ଉପରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପଠନପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ ସହ ‘ଆମେ ଓଡ଼ିଆ’ସ୍ମାରକୀ ଗ୍ରନ୍ଥର ନବମ ଭାଗ ଲୋକାର୍ପିତ ହୋଇଥିଲା । ସମସ୍ତ ଜିଲ୍ଲାରୁ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଚିକିତ୍ସାସେବା କ୍ଷେତ୍ରରେ ଦଶଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା ଏବଂ ପୋଲିସବ୍ୟାଣ୍ଡ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ଧୁନ୍‌ ପରିବେଷଣ କରିଥିଲେ । ସଭା ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ, ଓଡ଼ିଶୀ ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ-୨୦୨୨ ସମାରୋହରେ ପାଳିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂର୍ବାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ସ୍ଥପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦର୍ଶିତ ବାଲୁକା କଳାକୃତି ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀକୁ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଏହି ଉଦ୍‌ଘାଟନ ସମୟରେ ଉପସ୍ଥିତ ଥିଲେ ।

Exit mobile version