ବିପଦରେ ପଡ଼ିଥିବା ରୋଗୀଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମାର୍ଚ୍ଚ, ରବିବାର ) ଭୁବନେଶ୍ୱର :- ଗତ ସପ୍ତାହରେ ତିନୋଟି ଭିନ୍ନ ଭିନ୍ନ ଘଟଣାରେ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ପ୍ରଂଶସିତ ହୋଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ଏଥିମଧ୍ୟରୁ ଗୋଟିଏ ଘଟଣା କୋରାପୁଟ ଜିଲ୍ଲାରେ ଘଟଥିବାବେଳେ ଅନ୍ୟ ଦୁଇଟି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ପ୍ରଥମ ଘଟଣାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସୋରିଷ ପଦର ଗ୍ରାମର ମତି ଜମ୍ବେକା (୨୫) ନାମକ ଜଣେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା କାରଣରୁ ସେ କୋରାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବା କାରଣରୁ ଡାକ୍ତର ତୁରନ୍ତ ଏ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ ।

ମାତ୍ର ଏଭଳି ବିପଦ ସମୟରେ କୌଣସି ଏକ ରୋଗୀଙ୍କୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଦେବାଶିଷ ନାୟକ ଏହା ସମ୍ବନ୍ଧରେ ଜାଣିବା ପରେ ଆଗେଇ ଆସି ରୋଗୀଙ୍କୁ ଗୋଟିଏ ୟୁନିଟ ଏ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଦାନ କରିଛନ୍ତି । ଯାହା ପାଇଁ ରୋଗୀଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲା ଦାନଗଡ଼ି ବ୍ଲକ ଅନ୍ତର୍ଗତ ବରଗଡ଼ିଆ ଗ୍ରାମର ସମ୍ଭଳ ନାୟକଙ୍କ ପୁଅ କାର୍ତିକ ନାୟକ ଥାଲେସେମିଆ ରୋଗରେ ପୀଡ଼ିତ ହୋଇ ସ୍ଥାନୀୟ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିଲେ । ମାତ୍ର ସେଠାରୁ ଡାକ୍ତର ତାଙ୍କୁ ତୁରନ୍ତ ଏ ପିଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ ।

ଏଭଳି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଗୋବିନ୍ଦ ସେନାପତି ଦେବଦୂତ ସାଜି ଆସି ରୋଗୀଙ୍କୁ ରକ୍ତ ଦାନ କରି ତାଙ୍କ ଜୀବନ ରକ୍ଷା କରିଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରେ ଘଟିଥିବା ସମାନ ଧରଣର ଅନ୍ୟ ଏକ ଘଟଣାରେ କୋରାଇ ବ୍ଲକ ଅନ୍ତର୍ଗତ କୁରୁପଦା ଗ୍ରାମର ସୁରେନ୍ଦ୍ର ମଲ୍ଲିକ (୪୪) ନାମକ ଜଣେ ଥାଲେସେମିଆ ରୋଗୀଙ୍କୁୁ ବି ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ ସହାୟକ ପଦ୍ମଲୋଚନ ମହାରଣା । ବାସ୍ତବରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ମାନବିକତା ସମାଜରେ ଅନ୍ୟମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି

Exit mobile version