ପଛୁଆବର୍ଗ ଜନଗଣନା ପରେ ମ୍ୟୁନିସିପାଲିଟି, ଏନ୍‌.ଏ.ସି. ନିର୍ବାଚନ କରିବା ଦାବିରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୨ଫେବ୍ରୁଆରୀ ଗୁରୁବାର ) ଭୁବନେଶ୍ୱର :- ୨୦୧୮ ମସିହାରେ ହେବାକୁ ଥିବା ୧୦୭ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ଓ ୩ଟି ମ୍ୟୁନିିିସିପାଲ କର୍ପୋରେସନର ୧୭୫୬ଟି ୱାର୍ଡ଼ର ନିର୍ବାଚନ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ରାଜ୍ୟର ୫୨ଭାଗ ଓବିସି ୧୭୫୬ଟି ୱାର୍ଡ଼ ମଧ୍ୟରୁ ୪୭୪ଟି ୱାର୍ଡ଼ କାଉନ୍‌ସିଲାର ପଦବୀ ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରି ଏହାର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ପ୍ରତିନିଧି ଦଳ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ୫୨ ଭାଗ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି । ୨୦୧୮ ମସିହାର ନିର୍ବାଚନ ୪ ବର୍ଷ ପରେ ୨୦୨୨ ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏହାକୁ ଆଉ ୬ ମାସ ଘୁଞ୍ଚାଇ ଦିଆଯାଇ ପଛୁଆବର୍ଗ ଜନଗଣନା ସମ୍ପୂର୍ଣ୍ଣ କରିବା ପରେ ଏହିସବୁ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ଓ ମ୍ୟୁନିିିସିପାଲ କର୍ପୋରେସନର ନିର୍ବାଚନ କରାଇଲେ ରଜ୍ୟର ପଛୁଆବର୍ଗ ତାଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତେ । ଏହାକୁ ଆଖି ଆଗରେ ରଖି ମାନ୍ୟବର ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ଡ଼ାକି ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ମାନ୍ୟବର ସୁପ୍ରିମକୋର୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କର ପ୍ରତିନିଧିତ୍ୱ ଦିଗରେ ପ୍ରତବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ମ୍ୟୁନିସିପାଲିଟି ନିର୍ବାଚନରେ ମଧ୍ୟ ଏହି ବର୍ଗ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ତେଣୁ ୬ମାସ ନିର୍ବାଚନକୁ ଘୁଞ୍ଚାଇ ରାଜ୍ୟରେ ପଛୁଆବର୍ଗ ଜନଗଣନା କରିସାରିଲା ପରେ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି. ନିର୍ବାଚନ କରିବାକୁ ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରିଛନ୍ତି । ରାଜ୍ୟର ପଛୁଆବର୍ଗ କମିଶନ ପକ୍ଷରୁ ଗତ ୨୦୨୧ ମସିହା ମେ ମାସ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ପଛୁଆବର୍ଗ ଜନଗଣନା କରିବା ପାଇଁ ପଦକ୍ଷେପ ନିଆଯାଇଥିଲା ।

କିନ୍ତୁ ସେହି ସମୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ଯୋଗୁଁ ରାଜ୍ୟ ସରକାର ଘର ଘର ବୁଲି ପଛୁଆବର୍ଗ ଜନଗଣନାକୁ ବନ୍ଦ ରଖିଥିଲେ । ଆଜି ଯେତେବେଳେ ସ୍କୁଲ୍‌, କଲେଜ ଖୋଲୁଛି, ବାଣିଜ୍ୟ ବ୍ୟବସାୟ ଓ ଜୀବନ ଜୀବିକା ସ୍ୱାଭାବିକ ହେବାରେ ଲାଗିଛି, ସେହି ସମୟରେ ପଛୁଆବର୍ଗ ଜନଗଣନା କରାଗଲେ କୌଣସି ଅସୁବିଧା ନାହିଁ । ତେଣୁ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି । ସମ୍ବିଧାନର ସଂରକ୍ଷକ ଓ ନାଗରିକ ଅଧିକାରର ମଙ୍ଗୁଆଳ ଭାବରେ ମାନ୍ୟବର ରାଜ୍ୟପାଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି ।

ମାନ୍ୟବର ରାଜ୍ୟପାଳ ପ୍ରତିନିଧି ଦଳର ସ୍ମାରକ ପତ୍ର ପାଇଲା ପରେ ଏ ବିଷୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନିଲ ମିଶ୍ର ପ୍ରମୁଖ ସାମିଲ୍ ହୋଇ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Exit mobile version