ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଫେବ୍ରୁଆରୀ ମଙ୍ଗଳବାର) ଭୁବନେଶ୍ୱର :- ପୂର୍ବରୁ ଅନେକ ଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରିବାର ବିଭିନ୍ନ ଦୃଷ୍ଟାନ୍ତ ଆମ ଆଖି ସାମ୍ନାକୁ ଆସିଛି । ଯାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ବଡ଼ ଡାକ୍ତରଖାନାରେ ଯେଉଁଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ପାଇଁ ଜଣେ ଗୁରୁତର ରୋଗୀଙ୍କ ବହୁମୂଲ୍ୟ ଜୀବନ ବଂଚିଯାଇପାରିଛି । ଘଟଣାନୁଯାୟୀ ଲକ୍ଷ୍ମୀପ୍ରିୟା ମୁଦୁଲି ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ହୋଇ କଟକ ବଡ଼ ମେଡିକାଲରେ ଚିକତ୍ସିତ ହେଉଥିଲେ ।

କିନ୍ତୁ ରକ୍ତାଭାବ କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା ଏବଂ ତାଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ଥିଲା । ଏହି ସମୟରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ହସ୍ପିଟାଲ ସ୍ଥିତ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଡ୍ରାଇଭର ସୂର୍ଯ୍ୟକାନ୍ତ ମହାପାତ୍ର ଏବଂ ସହାୟକ ସୁନୀଲ ମଲ୍ଲିକ କୌଣସି ଏକ କେସରେ କଟକ ବଡ଼ ମେଡିକାଲକୁ ଆସିଥିବା ସମୟରେ ରକ୍ତହୀନତାରେ ପୀଡ଼ିତା ଲକ୍ଷ୍ମୀପ୍ରିୟାଙ୍କ ବିଷୟରେ ଜାଣିବାକୁ ପାଇଲେ । ଯାହାପରେ ଉଭୟ ଆମ୍ବୁଲାନ୍ସ କର୍ମଚାରୀ ନିଜେ ରୋଗୀଙ୍କୁ ଗୋଟିଏ ଲେଖାଏଁ ୟୁନିଟ ରକ୍ତ ଦାନ କରିଛନ୍ତି ଏବଂ ଯାହାପାଇଁ ରୋଗୀ ଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସେମାନେ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।

Exit mobile version