
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ରବିବାର ) ଭୁବନେଶ୍ୱର,, :- ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବିଶ୍ୱ ଓଡ଼ିଶା ସମାଜ (ବିଓସ)ର କର୍ମକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି । ନୂଆପଲ୍ଲୀଠାରେ ଅବସ୍ଥିତ ବିଓସର ଅନ୍ତର୍ଜାତୀୟ ମୁଖ୍ୟାଳୟଠାରେ ଏହି ଉପଲକ୍ଷେ ଦୁଇଟି ଦଫାରେ ଆୟୋଜିତ ବନ୍ଧୁ ମିଳନରେ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ପୌରୋହିତ୍ୟ କରିଥିଲେ ।
ଏହି ଅବସରରେ ଭ୍ରମଣରେ ଆସିଥିବା ବିଭିନ୍ନ ବିଦେଶୀ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧିମାନେ ଭାରତ ତଥା ଓଡ଼ିଶାରେ ଅବସ୍ଥାପିତ ବିଓସର ସଦସ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରିବା ସାଙ୍ଗକୁ ମିଳିତ ଭାବରେ ମାତୃପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସାଧନ, ରାଜ୍ୟର କଲ୍ୟାଣ କଳ୍ପେ ସେମାନଙ୍କର ଯୋଗଦାନର କ୍ଷେତ୍ର ସ୍ଥିରିକରଣ ତଥା ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିଓସ ତରଫରୁ ଗ୍ରହଣ କରାଯିବାକୁ ଥିବା ସମ୍ଭାବ୍ୟ କାର୍ଯ୍ୟସୂଚୀ ଓ ମାର୍ଗ ମାନଚ୍ଚିତ୍ର ସମ୍ପର୍କରେ ବିଶଦ ଭାବେ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।
ମୁଖ୍ୟତଃ ଏହି ବିଦେଶୀ ଆଗନ୍ତୁକମାନେ ପ୍ରବାସୀ ଓଡ଼ିଆ ଭାବରେ ସେମାନଙ୍କର କର୍ମଭୂମି ଦେଶରେ ସେମାନେ ସମ୍ମୁଖୀନ ହେଉଥିବା ନାନା ପ୍ରକାର ସମସ୍ୟାର ସମାଧାନ, ଓଡ଼ିଶା ଏବଂ ନିଜର ଭିଟାମାଟି ସହିତ ଯୋଗସୂତ୍ରକୁ ଅଧିକ ନିବିଡ଼ ଓ ନିରନ୍ତର କରାଯିବା ତଥା ବିଶ୍ୱ ଓଡ଼ିଶା ସମାଜର କାର୍ଯ୍ୟକ୍ଷେତ୍ରକୁ ଅଧିକ ପ୍ରଶସ୍ତ କରାଯିବା ସପକ୍ଷରେ ମତ ପ୍ରକାଶ କରିଥିଲେ ।
ବୈଠକରେ ଉଦ୍ବୋଧନ ଦେଇ ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, କରୋନା ମହାମାରୀ ପ୍ରଶମିତ ହେବାପରେ ବିଓସର ଉପସ୍ଥିତିକୁ ଆନ୍ତର୍ଜାତିକ ସ୍ତରରେ ପ୍ରଭାବୀ ଢଙ୍ଗରେ ପ୍ରତିପାଦିତ କରାଯିବା ନେଇ ଖସଡ଼ା ପ୍ରସ୍ତୁତ ହେଉଥିବା ବିଷୟ ପ୍ରକାଶ କରିଥିଲେ । ବିଶେଷ କରି ରାଜ୍ୟ ସରକାର ଦୁଇ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜନ କରିବାକୁ ନେଇଥିବା ସୈଦ୍ଧାନ୍ତିକ ନିଷ୍ପତ୍ତି ପୃଷ୍ଠଭୂମିରେ ବିଓସର ବଳିଷ୍ଠ ଭୂମିକା ସମ୍ପର୍କରେ ଶ୍ରୀ ଦ୍ୱିବେଦୀ ସୂଚନା ପ୍ରଦାନ କରିଥିଲେ ।
ସେହିପରି ଯଥାଶୀଘ୍ର ଓଡ଼ିଶା ସରକାର ଏନ୍.ଆର୍.ଓ ମନ୍ତ୍ରଣାଳୟ ସ୍ଥାପନ କରିବାକୁ ଶ୍ରୀ ଦ୍ୱିବେଦୀ ବିଓସର ଦାବିକୁ ଦୋହରାଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବିଓସର ଉପାଧ୍ୟକ୍ଷ ଓ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, ବିଓସର ପ୍ରକାଶନ ବିଭାଗର ଅତିରିକ୍ତ ସମ୍ପାଦକ କାନାଡ଼ାର ଡଃ ତନ୍ମୟ ପଣ୍ଡା, ବିଓସର ସଭାପତି ମଣ୍ଡଳୀ ସଦସ୍ୟ ଓ ଇଣ୍ଡୋନେସିଆର ଦେବର୍ଶୀ ମଲ୍ଲିକ,
ବିଓସର ଯୁଗ୍ମ ମହାସଚିବ ତଥା ନେଦରଲ୍ୟାଣ୍ଡ ଓଡ଼ିଆ ସମାଜର ସଭାପତି ଶାଶ୍ୱତ ପାଢ଼ୀ, ବିଓସର ଯୁଗ୍ମ ସଂଗଠନ ସାଧାରଣ ସମ୍ପାଦକ ନିଉଜିଲ୍ୟାଣ୍ଡର ପ୍ରେମ ନେପାକ, ବିଓସର ମହିଳା ଶାଖାର ଉପ-ସଭାପତି ଓ ଅଷ୍ଟ୍ରେଲିଆ ନିବାସୀ ଡଃ ପ୍ରଭାତୀ ପାଣିଗ୍ରାହୀ, ନେଦରଲ୍ୟାଣ୍ଡ ଓଡ଼ିଆ ସମାଜର କାର୍ଯ୍ୟକାରୀ କମିଟି ସଦସ୍ୟ ସୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏବେ ଓଡ଼ିଶା ଗସ୍ତରେ ଥିବା ବିଓସର ମହିଳା ଶାଖାର ସଭାପତି ତଥା କାନାଡ଼ା ଅଧିବାସୀ ଡଃ ସୁନନ୍ଦା ମିଶ୍ର ପଣ୍ଡା ଏବଂ ଯୁବ ଶାଖାର ପ୍ରୋତ୍ସାହକ ତଥା ଅଷ୍ଟ୍ରେଲିଆ ନିବାସୀ ରାମ ପ୍ରସାଦ ମହାନ୍ତି ଏହି ସମ୍ବର୍ଦ୍ଧନା ସମାବେଶରେ ଅନ୍ଲାଇନ୍ ଯୋଗେ ସାମିଲ ହୋଇଥିଲେ ।
ଏହି ସମାବେଶରେ ଯୋଗଦେଇଥିବା ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଇଂ. ବୀପିନ ନାୟକ, ଉତ୍କଳ ସାମ୍ବାଦକ ସଂଘର ସଭାପତି ବିଭୁତି ଭୂଷଣ କର, ବରିଷ୍ଠ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବିଶିଷ୍ଟ କବି ରକ୍ଷକ ନାୟକ, ସାମ୍ବାଦିକ ସନତ ମିଶ୍ର, ସଞ୍ଜୟ ଦାସ ଓ ପାର୍ଥ ସାରଥୀ ଜେନା, କରାଟେ ବିଶେଷଜ୍ଞ ହରି ପଟ୍ଟନାୟକ, ବେଙ୍ଗାଲୁରୁରେ ଅବସ୍ଥାପିତ ସ୍ଥପତି ଜ୍ଞାନେଶ ମିଶ୍ର,
ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ପ୍ରତିଷ୍ଠିତ ସଂଗୀତଜ୍ଞ ସୁକାନ୍ତ କୁମାର କୁଣ୍ଡୁ, କଳା ବିଶେଷଜ୍ଞ ପ୍ରଦ୍ୟୁମ୍ନ ଦାଶ, ଯୁବ ଶିଳ୍ପୋଦ୍ୟୋଗୀ ପ୍ରବୋଧ ସାମନ୍ତରା ଓ ପ୍ରଭାସ ଜେନା, ବିଓସର ଆଇଟି ସାଧାରଣ ସମ୍ପାଦକ ରବୀନ୍ଦ୍ର ନାରାୟଣ ବେହେରା, ମାତୃଭାଷା ପ୍ରୋତ୍ସାହନ ସାଧାରଣ ସମ୍ପାଦକ ପବିତ୍ର ମହାରଥା, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ପ୍ରକାଶନ ବିଭାଗର ଅତିରିକ୍ତ ସମ୍ପାଦକ ଡଃ ସୁନିତୀ ମୁଣ୍ଡ ଏବଂ ଯୁବ ଟିମ୍ର ସଦସ୍ୟ ନନ୍ଦନ ଦ୍ୱିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ
