ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ଭୁବନେଶ୍ୱର :- ଓଡ଼ିଶାର ଶେଷ ସ୍ୱାଧୀନତା ବଜାୟ ରଖିବା ପାଇଁ ଉତ୍କଳଜନନୀର ଯେଉଁ କେତେଜଣ ବୀର ସୁଯୋଗ୍ୟ ସନ୍ତାନ ଇଂରେଜମାନଙ୍କ ସହ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଅନ୍ୟତମ । ପାଇକ ବିଦ୍ରୋହର ମୁଖ୍ୟ କର୍ଣ୍ଣଧାର ଥିଲେ ବିପ୍ଳବୀ ବକ୍ସି ଜଗବନ୍ଧୁ । ବକ୍ସି ଜଗବନ୍ଧୁଙ୍କର ବଳିଷ୍ଠ ନେତୃତ୍ୱ, ଅସୀମ ତ୍ୟାଗ, ବୀରତ୍ୱ, ଦେଶପ୍ରେମ ତଥା ଆତ୍ମୋତ୍ସର୍ଗ ଓଡ଼ିଶା ଇତିହାସର ଏକ ଗୌରବପୂର୍ଣ୍ଣ ରକ୍ତରଞ୍ଜିତ ଅଧ୍ୟାୟ । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜମାନଙ୍କ ଅନ୍ୟାୟ ନୀତି ଓ ନିର୍ଯାତନା ବିରୁଦ୍ଧରେ ପାଇକମାନେ ବିଦ୍ରୋହ କରିଥିଲେ ।
ପାଇକ ବିଦ୍ରୋହ ଇଂରେଜ କର୍ତ୍ତୃପକ୍ଷଙ୍କୁ ବିବ୍ରତ ଓ ବିଚଳିତ କରିଦେଇଥିଲା । ପରିସ୍ଥିତିର ଚାପରେ ଶେଷରେ ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ଦ୍ୱାରା ଗୃହବନ୍ଦୀ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେହି କର୍ମବୀର ସର୍ବଦା ଆମର ପ୍ରାତଃସ୍ମରଣୀୟ ହୋଇରହିଥିବେ । ଆଜି ଭୁବନେଶ୍ୱରସ୍ଥିତ ମୁ୍ୟଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁଙ୍କ ସ୍ମଚ୍ଚmଞ୍ଛ;ୃତିକୁ ସ୍ମରଣ କରି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭାଗ ତରଫରୁ ପ୍ରତିମୂର୍ତ୍ତି ସ୍ଥଳକୁ ସଜ୍ଜିତ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଏବଂ ବହୁ ବିଭାଗୀୟ ଅଧିକାରୀମାନେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୋଭିଡ୍ ମାର୍ଗଦର୍ଶିକା ଆଧାରରେ ଅନୁଷ୍ଠିତ ହୋଇଥିଲା ।