ସ୍ୱତନ୍ତ୍ର ରିଲିଫ କମିଶନର ପଂଚାୟତ ନିର୍ବାଚନ ନେଇ ପ୍ରଚାର ଓ ସମାବେଶ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

୧. ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ ନିଜ ସହ ସର୍ବାଧିକ ୫ ଜଣ ସମର୍ଥକଙ୍କୁ ନେଇ ପାରିବେ, ସେମାନେ ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବେ

୨. ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଡିଜିଟାଲ ମିଡ଼ିଆ/ଭର୍ଚୁଆଲ ମିଡ଼ିଆ/ ମିଡ଼ିଆ ପ୍ଲାଟଫର୍ମ/ମୋବାଇଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି

୩. ଭୋଟ ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରାକୁ କଡାକଡି ବାରଣ କରାଯାଇଛି ଏବଂ ବିଜୟୀ ପ୍ରାର୍ଥୀଙ୍କ ସହ ୨ରୁ ଅଧିକ ସମର୍ଥକଙ୍କୁ ନେବାକୁ ବାରଣ କରାଯାଇଛି

୪. ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ଅସ୍ଥାୟୀ ପ୍ରଚାର କାର‌୍ୟ୍ୟାଳୟରେ ହାତ ଧୁଆ ସାମଗ୍ରୀ ଓ ମାସ୍କ ରଖିବା ସହ ଭୋଟରମାନଙ୍କୁ ତାହା କରିବା ପାଇଁ ପରାମର୍ଶ ଦେବାକୁ କୁହାଯାଇଛି

୫. ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରସ୍ତାବକଙ୍କୁ ନିର୍ବାଚନ କାର‌୍ୟ୍ୟାଳୟକୁ ପ୍ରବେଶ ପାଇଁ ଅନୁମତି ମିଳିବ

୬. ଭୋଟ ଗଣତି କେନ୍ଦ୍ର ବାହାରେ ଲୋକମାନଙ୍କ ଏକତ୍ରିତ ହେବାକୁ ମଧ୍ୟ ବାରଣ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ରାଜ୍ୟରେ କରୋନା ସହ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ, ତାହାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟରେ ପଂଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ସରକାର ଆଗଭର ହେବା ପରେ, ନିର୍ବାଚନ ଆୟୋଗ ମଧ୍ୟ ତତ୍ପର ହୋଇଛନ୍ତି । ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପଂଚାୟତ ନିର୍ବାଚନ ନେଇ ପ୍ରଚାର ଓ ସମାବେଶ ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅନ୍ୟପକ୍ଷରେ, ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟ ସମୟରେ ଆସୁଥିବା ନିର୍ଦ୍ଦେଶାବଳୀର ଯେଭଳି ଲଙ୍ଘନ ନ ହୁଏ, ସେସବୁକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଏହି ନିର୍ବାଚନ ପ୍ରଚାର ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶାବଳୀରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନୀ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । କୌଣସି ବଡ ସମାବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଜଣାପଡିଛି । ନିର୍ବାଚନୀ ପ୍ରଚାର ଉଦ୍ଦେଶ୍ୟରେ ରୋଡ଼ ସୋ, ପଦଯାତ୍ରା, ବାଇକ ରାଲି ଓ ସାଇକେଲ ରାଲିକୁ ମଧ୍ୟ ବାରଣ କରାଯାଇଛି । କୌଣସି ପରିସ୍ଥିତିରେ କରୋନା ସଂକ୍ରମିତ ପ୍ରାର୍ଥୀ/ପ୍ରାର୍ଥୀନୀ ଘରକୁ ଘର ବୁଲି ପ୍ରଚାର କରିପାରିବେ ନାହିଁ, ସେମାନେ କେବଳ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି ।

Exit mobile version