ପକ୍ଷପାତ ରୋଗୀଙ୍କୁ ସହାୟତା କଲା – ଅନନ୍ୟା ଫାଉଣ୍ଡେସନ୍

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ନୟାଗଡ଼ :- ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତ ସେହି ଗ୍ରାମର ଅନୁପମା ରାଉତଙ୍କୁ ପ୍ରେମ ବିବାହ କରିଥିଲେ । ସମୟକ୍ରମେ ଉଭୟେ ଯଥାକ୍ରମେ ଏକ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ଲାଭ କରିଥିଲେ । ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା, ହେଲେ ହଠାତ୍ ଦିନେ ଶିଶିର ମୁଣ୍ଡ ବୁଲାଇବା କାରଣରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ । ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ସ୍ନାୟବିକ ରୋଗ ହୋଇଥିବାର ସୂଚନା ଦେଲେ ।

ତାଙ୍କର ଚିକିତ୍ସା ପାଇଁ ଗୁଡ଼ିଏ ଅର୍ଥର ଆବଶ୍ୟକ ହେଲା । ଅନୁପମା ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇଲେ ମଧ୍ୟ ସୁଫଳ ହେଲା ନାହିଁ । ପରେ ଅର୍ଥଭାବରୁ ସ୍ୱାମୀଙ୍କୁ ଘରକୁ ଫେରେଇ ଆଣିଲେ । ଶିଶିର ଚିକିତ୍ସା ଅଭାବରୁ ଦିନକୁ ଦିନ ରୁଗ୍ଣ ହେବାକୁ ଲାଗିଲେ । ଶଯ୍ୟାଶାୟୀ ହୋଇ ୟା ଭିତରେ ପାଞ୍ଚ ବର୍ଷ ବିତିଗଲାଣି । ଘରର ରୋଜଗାରିଆ ମୁରବି ବ୍ୟାଧିଗ୍ରସ୍ତ ହୋଇଥିବାରୁ ଘରର ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଅନୁପମା ଏକାକୀ ଦୁଇଟି କୁନି ଛୁଆଙ୍କ ପାଠ ପଢ଼ା ଖର୍ଚ୍ଚ ଓ ତେଲ ଲୁଣ ଘରର ସଂସାର ବୁଝିବାକୁ ଅସହାୟ ହୋଇ ପଡିଛନ୍ତି । ଏ କଥା ଅନନ୍ୟା ଫାଉଣ୍ଡେସନ ନଜରକୁ ଆସିବା କ୍ଷଣି ଅନନ୍ୟା ଫାଉଣ୍ଡେସନ ତରଫରୁ ତାଙ୍କ ପରିବାରକୁ ଯଥାଶୀଘ୍ର ମାସକ ପାଇଁ ଚାଉଳ, ଡ଼ାଲି, ପରିବା ସହ ପିଲାଙ୍କ ପଢ଼ିବା ପାଇଁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି । ଏଭଳି ରାଶନ ପ୍ରତି ମାସରେ ଯୋଗାଇ ଦିଆଯିବ ବୋଲି ଅନନ୍ୟା ଫାଉଣ୍ଡେସନ ମୁଖ୍ୟାଳୟରୁ ସୂଚନା ମିଳିଛି ।

Exit mobile version