
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆ ଠାରେ ଗଜପତି ପ୍ରଶାସନ ନିର୍ଦ୍ଦେଶକ୍ରମେ ଓର୍ମାସ୍ ଆନୁକୁଲ୍ୟରେ ଗତ ୨୩ତାରିଖ ସନ୍ଧ୍ୟାରୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀମେଳା ଆରମ୍ଭ ହୋଇଛି । ଏହି ମେଳା ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହିବା ନିଶ୍ଚିତ ହୋଇଛି । ଆଜିର ତୃତୀୟ ଦିବସର ପଲ୍ଲୀଶ୍ରୀମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଷ୍ଟଲ ଗୁଡିକର ବିଭିନ୍ନ ସାମଗ୍ରୀ ଓ ରିହାତି ଦର ଲୋକଙ୍କ ମନକୁ ବେଶ ଛୁଇଁଥିବା ଲକ୍ଷ୍ୟ କରାଯାଇଛି ।
ଆଜିର ୩ୟ ଦିବସର ସମାବେଶରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ମେଳା ଆୟୋଜନର ଉଦ୍ଦେଶ୍ୟ ପ୍ରକାଶ କରିବା ସହ ପାରଳାଖେମୁଣ୍ଡିର କଳା ସଂସ୍କୃତି ସହ ଗଜପତି ଜିଲ୍ଲାର ବନବାସୀଙ୍କ ଜୀବନ ଶୈଳୀ ଓ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ପିଏ ଆଇଟିଡିଏ ସରୋଜ କୁମାର ବେହେରା, ଜୀବୀକା ମିଶନର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ମେଳାର ଆକର୍ଷଣ ଯୋଗୁଁ ୩ୟ ଦିବସରେ ପ୍ରବଳ ଭିଡ ରହିଥିଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ୍-୧୯ ନିୟମାବଳୀ ଓ ରାଜ୍ୟସରକାରଙ୍କ ମାର୍ଗଦର୍ଶିକାନୁଯାୟୀ ଅନୁଷ୍ଠିତ ହେଉଅଛି ।
