ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) କଳାହାଣ୍ଡି :- ନର୍ଲା ବ୍ଲକ ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ବଢିବାରେ ଲାଗିଛି । ବ୍ଲକ ଅଧିନ କମେଗାଁ ପାହାଡରେ ଉକ୍ତ ହାତୀପଲ ରହୁଥିବା ବେଳେ ନିକଟସ୍ଥ ଗ୍ରାମ କମେଗାଁ, ବାଲିପଡା, ଭାନପୁର, ତୁଲାପଡା, କୁର୍ମେଲ୍, ଗୁଡାଙ୍ଗଗୋଛା, ତିତକେଲା, ପଲସାପଡା, ବୁର୍ଡିପଡା ଆଦି ଅଞ୍ଚଳର ଚାଷଜମି ମାନଙ୍କୁ ରାତିରେ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ଜଣାପଡିଛି । ଏହି ହାତୀ ପଲ ଦଳରେ ୨୯ ଟି ହାତୀ (୨୫ଟି ବଡହାତୀ ଓ ୪ଟି ହାତୀଛୁଆ) ଭୀମକେଲା ଗ୍ରାମ ପଞ୍ଚାୟତ ଅଧିନ ବୁର୍ଡିପଡା ଓ ପଲସାପଡା ଦେଇ ରୁପ୍ରା ପଞ୍ଚାୟତ ଅଧିନ ତିତକେଲା ଅଞ୍ଚଳରେ ଆସି ସାନ୍ଦୁଲ୍ ନଦୀ ପାର୍ଶ୍ୱ ଜମିରେ ରହିଛନ୍ତି । ତିତକେଲା ଗ୍ରାମର ଜିତେନ୍ଦ୍ର ବିଶ୍ୱାଲ ସୋମବାର ସକାଳେ ନିଜ ଜମିକୁ ଯାଇଥିବା ସମୟରେ ଉକ୍ତ ହାତୀପଲ ଥିବା ଦେଖିବାକୁ ପାଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଫୋନ୍ କରି ଜଣାଇଥିଲେ ।