ଚାନ୍ଦପୁର ପୋଲିସ : ଛ ଘଣ୍ଟାରେ ଚୋର ଗିରଫ – ବୁଲେଟ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ନୟାଗଡ଼ ଜିଲ୍ଲା ଚାନ୍ଦପୁର :- ବୁଲେଟ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ । ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କ ଘରେ ଜଣେ ଦୁର୍ବୁତ୍ତ ପସି ବୁଲେଟ ମଟରସାଇକେଲକୁ ଚୋରି କରି ନେଇଥିଲେ । ବୁଲେଟ ଚୋରି ହୋଇଥିବା ଜାଣିପାରି ଚାନ୍ଦପୁର ପୋଲିସକୁ କେଦାର ସଙ୍ଗେସଙ୍ଗେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ନାଇଟ ପାଟ୍ରୋଲିଂ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ । ତେବେ ଛଅ ଘଣ୍ଟା ମଧ୍ୟରେ ଚୋରକୁ ଧରିବାରେ ଚାନ୍ଦପୁର ପୋଲିସ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଦୁର୍ଯ୍ୟୋଧନ ଗଜି । ଅଭିଯୁକ୍ତଙ୍କ ଠାରୁ ଚୋରି ବୁଲେଟ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିବା ସହ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୮/୨୧ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇଥିବା ନୟାଗଡ଼ ଏସ୍ପି ଟୁଇଟ କରି ଜଣାଇଛନ୍ତି ।

Exit mobile version