କଳିଙ୍ଗା ଘାଟି ରେ ପିକନିକ ବସ ଦୁର୍ଘଟଣା ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାରକନ୍ଧମାଳ :- ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଘାଟି ରାସ୍ତାରେ ପିଟିହେଲା ବସ୍‌ । ଯାହାଫଳରେ ୩୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଘଟିଛି ।

ପ୍ରକାଶ ଯେ, ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାର ଏକ ପିକ୍‌ନିକ ବସ୍‌ ଦାରିଙ୍ଗବାଡ଼ିକୁ ଆସିଥିଲା । ସେଥିରେ ୬୦ ଜଣ ପର୍ଯ୍ୟଟକ ଥିଲେ । ସେମାନେ ଦାରିଙ୍ଗବାଡ଼ିରେ ପିକ୍‌ନିକ୍‌ ସାରି ପୁରୀ ଅଭିମୁଖେ ଯାଉଥିଲେ । ତେବେ କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟର ବୁଲାଣି ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହୋଇଯାଇଥିଲା ।  ବସ୍‌ଟି ସେହିଠାରେ ରହିଯାଇଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ ।

ଖବର ପାଇ ଜି.ଉଦୟଗିରି, ଟିକାବାଲି ଓ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆହତ ହୋଇଥିବା ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଜି.ଉଦୟଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଅନ୍ୟ ପର୍ଯ୍ୟଟକମାନେ ସେଠାରେ ଅଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରନ୍ଧ୍ୟା ଖାଦ୍ୟ ଓ କମ୍ୱଳ ଯୋଗାଇ ଦିଆଯାଇଛି ।

Exit mobile version